ଅମୃତସର ହାବଡା ଟ୍ରେନରେ ହେଲା ବିସ୍ଫୋରଣ, ଜୀବନ ବିକଳରେ ଏମର୍ଜେନ୍ସି ଡୋରରୁ ତଳକୁ ଡେଇଁଲେ ଯାତ୍ରୀ

ଚଣ୍ଡିଗଡ: ଅମୃତସରରୁ ହାବଡା ଯାଉଥିବା ଟ୍ରେନରେ ଶନିବାର ବିଳମ୍ବିତ ରାତିରେ ଭୟଙ୍କର ଶବ୍ଦ । ବିରାଟକାୟ ଶବ୍ଦ ଶୁଣି ବିସ୍ଫୋରଣ ଆଶଙ୍କାରେ ଯାତ୍ରୀ ପ୍ରାଣ ବିକଳରେ ଧାଆଁ ଦୌଡ କରିବା ଆରମ୍ଭ କରିଦେଲେ । ଏହି ଧାଆଁ ଦୌଡରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି । ତେବେ ଏହା କୌଣସି ବୋମା ବିସ୍ଫୋରଣ ନ ଥିଲା । ଫତେହଗଡ ସାହିବର ସରହିନ୍ଦ ଷ୍ଟେସନ ନିକଟରେ ଅମୃତସର ହାବଡା ରେଳର ଏକ ଡବାରେ ଥିବା ବାଣ ବିସ୍ଫୋରଣ ହୋଇଥିଲା ।

ସୂଚନା ମୁତାବକ, ଟ୍ରେନ ବ୍ରାହାଣଣମାଜରା ରେଳ ପୋଲ ନିକଟରେ ପହଞ୍ଚିବା ବେଳକୁ ବଗିରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଫଳରେ ବଗି ଭିତରେ ଧୂଆଁ ଭରିଯାଇଥିଲା । ଟ୍ରେନ ସରହିନ୍ଦ ଜଙ୍କଶନରୁ ବାହାରୁଥିବାରୁ ଟ୍ରେନର ଗତି କମ ଥିଲା । ବିସ୍ଫୋରଣ ହେବାରୁ ଭୟରେ ଯାତ୍ରୀ ଯିଏ ଯୁଆଡେ ଚାହିଁଲେ ଧାଇଁଲେ । ପ୍ରାଣ ବିକଳରେ କିଛି ଏମର୍ଜେନ୍ସି ଡୋର ଖୋଲି ତଳକୁ ଡେଇଁବା ଆରମ୍ଭ କରିଥିଲେ । ଏଥିରେ ୪ ଜଣ ଆହତ ହୋଇଛନ୍ତି ।

ଏହି ସୂଚନା ପାଇ ତୁରନ୍ତ ସେଠାରେ ଜିଆରପି ଅଧିକାରୀ ପହଞ୍ଚିଥିଲେ । ପ୍ରାଥମିକ ଯାଞ୍ଚରୁ ସାମ୍ନାକୁ ଆସିଥିଲା କି, ଜଣେ ଯାତ୍ରୀ କିଛି ବାଣ ନେଇ ଯାଉଥିଲେ । ବାଣ ରଖିଥିବା ସ୍ଥାନରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଧାସ ବାଣ ଉପରେ ପଡିଥିଲା ଓ ବାଣ ଫାଟିବା ଆରମ୍ଭ କରିଥିଲା । ଆହତଙ୍କ ମଧ୍ୟରେ ଏକ ଦମ୍ପତି ରହିଛନ୍ତି । ଏହି ଦମ୍ପତି ଲକ୍ଷ୍ନୌ ଯାଉଥିଲା ।