ନୂଆଦିଲ୍ଲୀ:ମାଳଦ୍ୱୀପ ମନ୍ତ୍ରୀମାନଙ୍କର ଭାରତ ବିରୁଦ୍ଧରେ ବିଷ ଓଗାଳିବା ଏବେ ବି ଜାରି ରହିଛି । ପ୍ରଥମେ ବିବାଦୀୟ ଟିପ୍ପଣୀକୁ ନେଇ ନିଲମ୍ବିତ ହୋଇସାରିଥିବା ମନ୍ତ୍ରୀ ମାରିୟମ ଶିଉନା ଏବେ ଭାରତୀୟ ତ୍ରିରଙ୍ଗାକୁ ଅପମାନ କରିଛନ୍ତି । ତେବେ ପରବର୍ତ୍ତୀ ସମୟରେ ସେ ବିବାଦୀୟ ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି ଓ କ୍ଷମା ବି ମାଗିଛନ୍ତି । ସବୁଠାରୁ ବଡ କଥା ହେଉଛି ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କୁ ଚୀନ୍ର ସମର୍ଥକ ବୋଲି କୁହାଯାଉଛି । ଲଗାତର ସେ ମାଳଦ୍ୱୀପରୁ ଭାରତୀୟ ସୈନିକ ପ୍ରତ୍ୟାହାର ନେଇ ଦାବୀ କରି ଆସୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ ମାଳଦ୍ୱୀପ ବିରୋଧୀ ଦଳ ଏମଡିପି ଅର୍ଥାତ୍ ମାଲଡିଭିଆନ୍ ଡେମୋକ୍ରେଟିକ ପାର୍ଟିକୁ ଟାର୍ଗେଟ୍ କରିବା ପାଇଁ ମନ୍ତ୍ରୀ ଶିଉନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏବେ ଡିଲିଟ୍ ହୋଇସାରିଥିବା ଏହି ପୋଷ୍ଟରେ ପାର୍ଟିର ଲୋଗୋ ପରିବର୍ତ୍ତେ ଭାରତୀୟ ତ୍ରିରଙ୍ଗାରେ ଥିବା ଅଶୋକ ଚକ୍ରକୁ ଲଗାଇ ଦିଆଯାଇଛି ।
ତେବେ ଏହା ଭାଇରାଲ୍ ହେବା ପରେ ସେ କ୍ଷମା ମାଗିଛନ୍ତି ଓ ଲେଖିଛନ୍ତି, ଏମଡିପିକୁ ଜବାବରେ ମୋ ପକ୍ଷରୁ ବ୍ୟବହାର କରାଯାଇଥିବା ଫଟୋ ଭାରତୀୟ ପତାକା ସହ ମିଶୁଥିବାରୁ ମୁଁ ଏଥିପାଇଁ କ୍ଷମା ମାଗୁଛି । ଏହି ଭୁଲ୍ ଅଜାଣତରେ ମୋ ଦ୍ୱାରା ହୋଇଛି । ମାଳଦ୍ୱୀପ ଭାରତ ସହ ଏହା ସଂପର୍କକୁ ସମ୍ମାନ କରୁଛି । ଶିଉନା ରାଷ୍ଟ୍ରପତି ମୁଇଜୁ ସରକାରରେ ଜୁନିୟର ମନ୍ତ୍ରୀ ଥିଲେ । ସେ ମାଲେ ସିଟି କାଉନସିଲର ପ୍ରବକ୍ତା ମଧ୍ୟ ଅଟନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଯାତ୍ରାକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିବା ପରେ ସେ ନିଲମ୍ବିତ ହୋଇଥିଲେ ।