fbpx
BSKY
BJD MC SKY
BJD YOUTH SKY

କ୍ୟାପଟେନ ବନାମ କ୍ରିକେଟର: ସିଦ୍ଧୁଙ୍କ ସହ ରାହୁଲ-ସୋନିଆଙ୍କୁ ଭେଟିଲେ ପ୍ରିୟଙ୍କା,  ପଞ୍ଜାବ ବିବାଦରେ ଶୀଘ୍ର ପଡିବ ପୂର୍ଣ୍ଣଛେଦ ?

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ଜାରି  କଳହ ଥମିବାର ନାଁ ଧରୁନାହିଁ। ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ବନାମ କ୍ରିକେଟର ମଧ୍ୟରେ ଜାରି ବିବାଦ ପାର୍ଟି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପାର୍ଟି ହାଇକମାଣ୍ଡ ପଞ୍ଜାବ କଂଗ୍ରେସରେ ଜାରି ସଙ୍କଟର ସମାଧାନ ପାଇଁ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅମରିନ୍ଦର ସିଂହ ନିଜର ପତିଆରା ଯଥା ସ୍ଥିତି କାଏମ ରଖିବାକୁ ଅଣ୍ଟା ଭିଡିଥିବା ବେଳେ ଅନ୍ୟପଟେ ସିଦ୍ଧୁ ଅମରିନ୍ଦରଙ୍କ ବିରୋଧରେ ନିଜର ଜିଦରେ ଅଟଳ ରହି ବୁଧବାର ଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି।

ପ୍ରିୟଙ୍କା ଗାନ୍ଧୀ ସିଦ୍ଧୁଙ୍କୁ ଭେଟିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚି ସାକ୍ଷାତ କରିଛନ୍ତି। ଏହା ପରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହା ପରଠୁ କଳ୍ପନା ଜଳ୍ପନା ଲାଗି ରହିଛି ଯେ, ପଞ୍ଜାବ କଂଗ୍ରେସରେ ଜାରି ଅନ୍ତଃକଳହ ଶୀଘ୍ର ସମାପ୍ତ ହୋଇପାରେ। ଦୀର୍ଘ ଦିନ ଧରି ଜାରି ବିବାଦରେ ପୂର୍ଣ୍ଣଛେଦ ପଡିପାରେ ବୋଲି ଆଶା କରାଯାଉଛି।

 

ନବଜୋତ ସିଂହ ସିଦ୍ଧୁ ଟ୍ଵିଟ୍ କରି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ହୋଇଥିବା ସାକ୍ଷାତ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ନବଜୋତ ସିଂହ ସିଦ୍ଧୁ ରାହୁଲଙ୍କୁ ଭେଟିଥିବା କୁହାଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ନବଜୋତ ସିଂହ ସିଦ୍ଧୁ ରାହୁଲଙ୍କୁ ଭେଟିବାର ଖବର ରାଜ୍ୟ ରାଜ୍ୟନୀତିକୁ ସରଗରମ କରିଥିଲା। ଏପରିକି ସିଦ୍ଧୁ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବେ ବୋଲି ମଧ୍ୟ ଖବର ଆସିଥିଲା।

ଅନ୍ୟପଟେ କଂଗ୍ରେସରେ ଜାରି ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପାର୍ଟିର ତିନି ଜଣିଆ କମିଟିକୁ ଦ୍ଵିତୀୟ ଥର ଭେଟି ଆଲୋଚନା କରିଥିଲେ। ବିବାଦର ମୁଖ୍ୟ କାରଣ ସିଦ୍ଧୁ କ୍ୟାପଟେନଙ୍କ କାର‌୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ରହିଛି। ଆଶା କରାଯାଉଥିଲା, ପାର୍ଟି ହାଇକମାଣ୍ଡ ଉଭୟଙ୍କୁ ଡକାଇ ବିବାଦର ସମାଧାନ କରିବେ। ହେଲେ ଏହାର ଓଲଟା ଘଟିଥିଲା। କେବଳ କ୍ୟାପଟେନଙ୍କୁ ଦିଲ୍ଲୀରୁ ଡକରା ଆସିଲା ଏବଂ ତାଙ୍କ କଥା ହିଁ ଶୁଣାଗଲା।

ସିଦ୍ଧୁଙ୍କୁ ପାର୍ଟି ହାଇକମାଣ୍ଡ ପକ୍ଷରୁ ଆଲୋଚନା ପାଇଁ କୌଣସି ନିମନ୍ତ୍ରଣ ନଆସିବାରୁ ସୋମବାର ତାଙ୍କର ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବାର ଚର୍ଚ୍ଚା ଜୋର ଧରିଥିଲା। ଉଲ୍ଲେଖନୀୟ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ ୨୦୧୯ରେ ପଞ୍ଜାବ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। କ୍ୟାପଟେନ ଦେଇଥିବା ମନ୍ତ୍ରୀ ପଦକୁ ନେଇ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ଏଠାରୁ  ହିଁ ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.