fbpx

ରାଜ୍ୟ IT ବିଭାଗ ପକ୍ଷରୁ ଘୋଷଣା: ଖୋର୍ଦ୍ଧାରେ ସ୍ଥାପନ ହେବ ପ୍ରଥମ SiC ସେମିକଣ୍ଡକ୍ଟର ଡିଭାଇସ୍ ଉତ୍ପାଦନ କାରଖାନା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ସମୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଏସଆଇସିଭିତ୍ତିକ ସେମିକଣ୍ଡକ୍ଟର ଡିଭାଇସ ଉତ୍ପାଦନ କାରଖାନା ସ୍ଥାପନ କରାଯିବ । ଅଗ୍ରଣୀ ପାୱାର ସେମିକଣ୍ଡକ୍ଟର ଉତ୍ପାଦନକାରୀ କମ୍ପାନୀ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ ଏହାକୁ ସ୍ଥାପନ କରିବ ।

ସେମିକଣ୍ଡକ୍ଟର ଡିଭାଇସ ଉତ୍ପାଦନ କାରଖାନା ସ୍ଥାପନ ନେଇ ରାଜ୍ୟ ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି (ଏସଏଲଏଚଡବ୍ଲ୍ୟୁସିଏ) ପକ୍ଷରୁ ଅନୁମୋଦନ ମିଳିଛି । ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ କ୍ଷେତ୍ରକୁ ଏହା ସୁଦୃଢ଼ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି କମ୍ପାନୀର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ୫୦ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଥିବା ବେଳେ କମ୍ପାନୀ ଏସଆଇସିଇପି ୱେଫରଠାରୁ ଆରମ୍ଭ କରି ଏସଆଇସି ଭିତ୍ତିକ ମୋସ୍ଫେଟ ଓ ଡାୟୋଡ୍ ଭଳି ଡିଭାଇସ୍ ଉତ୍ପାଦନ ପାଇଁ ଏକ ମେଗା ଫ୍ୟାବ୍ ପ୍ରତିଷ୍ଠା କରିବ । ସେଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫୧୦ କୋଟି ଟଙ୍କା ବିନିଯୋଗ କରିବ । ଇଭି ଅକ୍ଷୟ ଶକ୍ତି ପ୍ରଣାଳୀ, ଏରୋସ୍ପେସ ତଥା ପ୍ରତିରକ୍ଷା ଓ ଚିକିତ୍ସା ଉପକରଣ ଭଳି ଆପ୍ଲିକେସନରେ ଏହି ଡିଭାଇସ୍ ବ୍ୟବହାର କରାଯିବ ।

ଏହି କାରଖାନା ସ୍ଥାପନ ହେବା ଫଳରେ ୧ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଧୁନିକ ଉତ୍ପାଦନ ଶିଳ୍ପର ଚାହିଦା ପୂରଣ ପାଇଁ କର୍ମଚାରୀମାନେ ଯେପରି ଭଲ ଭାବେ ପ୍ରସ୍ତୁତ ହୋଇପାରିବେ, ସେନେଇ ସୁନିଶ୍ଚିତ କରିବା ପାଇଁ ଏକ ଗବେଷଣା ଓ ବିକାଶ କେନ୍ଦ୍ର ଓ ଅନ୍ୟାନ୍ୟ କର୍ମଚାରୀ ବିକାଶ ସଂସ୍ଥା ପ୍ରତିଷ୍ଠା କରାଯିବ । ଭୁବନେଶ୍ୱରକୁ କମ୍ପାନୀର ଆଗମନ ନେଇ ଆମେ ବିଶେଷ ଆନନ୍ଦିତ ବୋଲି ବିଭାଗୀୟ ସଚିବ କହିଛନ୍ତି । ଏହି ପ୍ରକଳ୍ପ ରାଜ୍ୟର ଆଭିମୁଖ୍ୟକୁ ସାକାର କରିବା ଦିଗରେ ଏକ ମାଇଲକୁଣ୍ଟ ସାଜିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.