fbpx

ପ୍ରଥମ ଥର ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହର ଫଟୋ: ସୋସିଆଲ ମିଡ଼ିଆରେ ଭାଇରାଲ୍

Advertisement

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସରେ ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ସେଥିପାଇଁ ସାରା ଦେଶର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ସାରା ଦେଶରୁ ୮ ହଜାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ଆସିଛି ଏକ ବଡ଼ ଖବର । ପ୍ରଥମ ଥର ପାଇଁ ରାମ ମନ୍ଦିରର ଗର୍ଭ ଗୃହର ଫଟୋ ସାମ୍ନାକୁ ଆସିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏନେଇ ଦୁଇଟି ଫଟୋ ଭାଇରାଲ ହୋଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସା. ସମ୍ପାଦକ ଚମ୍ପତ ରାୟ ଏହି ଫଟୋ ସବୁ ଶେୟାର କରିଛନ୍ତି । ପ୍ରଭୁ ଶ୍ରୀ ରାମଲଲାଙ୍କ ଗର୍ଭ ଗୃହର ସ୍ଥାନ ପାଖାପାଖି ପ୍ରସ୍ତୁତ ହୋଇ ସାରିଛି । ନିକଟରେ ଲାଇଟିଂ- ଫିଟିଂର କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଥିଲା । ଏନେଇ ଦର୍ଶକଙ୍କ ପାଇଁ କିଛି ଛାୟାଚିତ୍ର ଶେୟାର କରୁଛନ୍ତି ବୋଲି ଚମ୍ପତ ରାୟ କ୍ୟାପସନରେ ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ରାମ ମନ୍ଦିର ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାବ୍ୟତୀତ ଉକ୍ତ ଉତ୍ସବରେ ଅନେକ ବଲିଉଡ କଳାକାର, କ୍ରିକେଟର, ରାଜନେତା, ଶିଳ୍ପପତି ପ୍ରମୁଖ ସାମିଲ ହେବେ । ସେହି ଲିଷ୍ଟରେ ଅମିତାଭ ବଚନ, ଅକ୍ଷୟ କୁମାର, ରତନ ଟାଟା, ଆଶା ଭୋଂଶଲେଙ୍କ ନାମ ରହିଛି । ରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିବା ବିଜେପିର ଅନେକ ବଡ଼ ବଡ଼ ନେତା ମଧ୍ୟ ସାମିଲ ହେବେ । ସେମାନଙ୍କ ମଧ୍ୟରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ବିନୟ କଟିୟାର, ସାଧ୍ୱୀ ଋତମ୍ଭରା ଓ ଉମା ଭାରତୀ ରହିଛନ୍ତି ।

ଏଥିସହିତ ଅଲଗା ଅଲଗା ଧର୍ମଗୁରୁ, ହିନ୍ଦୁ ସମେତ ଜୈନ ଧର୍ମ ମହାଗୁରୁ ମଧ୍ୟ ସାମିଲ ହେବେ । ଦେଶର ପ୍ରସିଦ୍ଧ ଫୁଟବଲର ବାଇଚୁଙ୍ଗ ଭୂତିୟା, ଅଲିମ୍ପିଆନ ମେରି କମ, ବ୍ୟାଡମିଣ୍ଟର ତାରକା ପିଭି ସିନ୍ଧୁ, ପି. ଗୋପୀଚାନ୍ଦ, କ୍ରିକେଟର ରୋହିତ ଶର୍ମା, ସୁନୀଲ ଗାଭାସ୍କର, କପିଲ ଦେବ, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ସମସ୍ତ ପ୍ରମୁଖ ରାଜନୈତିକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗଦେବେ । ଦିନ ୧୧ଟାରୁ ଆରମ୍ଭ ହୋଇ ୩ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିପାରେ । କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ଓ ଫେରିବା ପାଇଁ ୧ କିମି ରାସ୍ତା ପାଦରେ ଚାଲିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ । ସୁରକ୍ଷା ଦୃଷ୍ଟିରୁ ନିୟମ ପାଳନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ । କାର୍ଯ୍ୟକ୍ରମ ସ୍ଥଳକୁ ମୋବାଇଲ, ପର୍ସ ଆଦି ନେବାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.