fbpx

ରାଜଧାନୀରେ ଉଦଘାଟିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ପାଇବେ ୨୦ ହଜାର ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ହୋଇଛି । ଏଥିରେ ୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ମିଳିବା ସହ ଏହାଦ୍ୱାରା ୨୦ ହଜାର ସ୍ଥାନୀୟ ଜନସାଧାରଣ ଉପକୃତ ହେବେ । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଭିଏସଏସ ନଗର ୱାର୍ଡ ନଂ ୧୧ରେ ପ୍ରଥମ ସହରାଞ୍ଚଳ ଓ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଛି ।

ଏହି କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମସି ମେୟର ସୁଲୋଚନା ଦାସ, ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ, ୱାର୍ଡ ନଂ ୧୧ କର୍ପୋରେଟର ପ୍ରଭାସିନୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏଥିସହିତ ବିଏମସି ଆଡିସନାଲ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଉତ୍ତର ଜୋନର ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦ, ସିଡିଏମଓ ଖୋର୍ଦ୍ଧା, ବିଏମସିର ସଦସ୍ୟଙ୍କ ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ୧୧ନଂ ୱାର୍ଡର ବହୁ ଜନସାଧାରଣ ଯୋଗଦେଇଥିଲେ ।

ଏହି ଆରୋଗ୍ୟ କେନ୍ଦ୍ର ଦ୍ୱାରା ୧୫ରୁ ୨୦ ହଜାର ସ୍ଥାନୀୟ ଜନସାଧାରଣ ଉପକୃତ ହେବେ । ଲୋକମାନେ ଅଭିଜ୍ଞ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ନିଃଶୁକ୍ଲ ମେଡିସିନର ଫାଇଦା ପାଇବା ସହ ଉତ୍ତମ ସେବାର ଲାଭ ଉଠାଇ ପାରିବେ । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ୯ଟି କ୍ଷେତ୍ରର ସେବା ଉପଲବ୍ଧ ହେବ । ଭୁବନେଶ୍ୱରରେ ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲିବା ନେଇ ଜନସାଧାରଣ ବିଏମସିକୁ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.