fbpx

ପାରାଦୀପରେ ମାଛ ଧରିବା ଉପରେ ଲାଗିଲା ରୋକ୍‌, ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି

Advertisement

ପାରାଦୀପ: ଚିନ୍ତାରେ ମତ୍ସ୍ୟଜୀବୀ । ଆଜିଠାରୁ ଓଡିଶା ଉପକୂଳରେ ମାଛ ଧରା ଉପରେ ଲାଗିଲା ରୋକ୍‌ । ନଦୀ ମୁହାଣରେ ବି ମାଛ ଧରିବା ପାଇଁ ଲାଗିଲା ଅଙ୍କୁଶ। ଆଜିଠାରୁ ଜୁନ ୧୪ ଯାଏ ଏହି କଟକଣା ଲାଗୁ ହୋଇଛି । ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ୬୧ ଦିନ ପାଇଁ ମାଛ ଧରିବା ଉପରେ କଟକଣା ଲାଗୁ କରାଯିବା ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନାରୁ ପ୍ରକାଶ ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟ(OMFRA)ର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି । ଏହାଦ୍ୱାରା ପାରାଦୀପରେ କେବଳ ୭ ଶହ ପାଖାପାଖି ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଏଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ ଦୀର୍ଘ ବର୍ଷ ହେଲା ପ୍ରତିବାଦ କରିଆସୁଥିବା ବେଳେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ଦୁଇମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ କଟକଣାକୁ କଡ଼ାକଡ଼ି କରାଯିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସଜୀବୀ ସଂଘ ଦାବି କରିଥିଲେ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ମୌସୁମୀ ଆସିବା ପୂର୍ବରୁ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। ମାଛମାନେ ଏହି ସମୟରେ ଅନୁକୂଳ ପରିବେଶରେ ଅଣ୍ଡା ଦେଇଥାନ୍ତି । ମାଛ ବଢ଼ିବାକୁ ୩/୪ ମାସ ଲାଗିଥାଏ । ଏହି ସମୟରେ ମାଛର ଆକାର ବହୁତ ଛୋଟ ଥିବାରୁ ସମୁଦ୍ରରେ ଟ୍ରଲର, ଗିଲେଟିନ୍‌, ଭୁଟୁଭୁଟି ଆଦି ଚଳାଚଳ ଆରମ୍ଭ ହୋଇଯାଏ । ଯାହାଦ୍ବାରା ଲକ୍ଷାଧିକ ମାଛ ଓ ଯାଆଁଳ ମରିଯାଆନ୍ତି । ମତ୍ସଜୀବୀ ବଡ଼ ମାଛ ବଦଳରେ ଛୋଟ ମାଛ ଆଣିଥାନ୍ତି । ମାଛ ଉତ୍ପାଦନ କମ୍‌ ହେବା ସହିତ ଟ୍ରଲର ମାଲିକ, ମତ୍ସଜୀବୀ, ବ୍ୟବସାୟୀ କ୍ଷତି ସହିଥାନ୍ତି । ତ୍ରୁଟିପୂର୍ଣ୍ଣ ନିୟମ ପାଇଁ ମାଛର ପ୍ରଜାତି ଦିନକୁଦିନ ହ୍ରାସ ପାଇବାକୁ ବସିଲାଣି ।

Get real time updates directly on you device, subscribe now.