ଡାହାଣୀ ସନ୍ଦେହରେ ବର୍ବର କାଣ୍ଡ… ଗୋଟିଏ ପରିବାରର 5ଜଣଙ୍କୁ ପିଟିପିଟି ହତ୍ୟା, ପରେ ଘରେ ଲଗାଇଦେଲେ ନିଆଁ
ଗୁଣିଗାରେଡି ସନ୍ଦେହରେ ବିହାରରେ ଅମାନୁଷିକ କାଣ୍ଡ ।
ନୂଆଦିଲ୍ଲୀ: ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଗୁଣିଗାରେଡ଼ି ପାଇଁ ଜୀବନ ଯାଉଛି । ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା କରାଯାଇଛି ।
ଡାହାଣୀ ସନ୍ଦେହରେ ଅମାନୁଷିକ କାଣ୍ଡ- ଏହି ଘଟଣା ରବିବାର ବିଳମ୍ବିତ ରାତିରେ ମୁଫାସିଲ ଥାନା ଅଞ୍ଚଳର ରାଜିଗଞ୍ଜ ପଞ୍ଚାୟତର ଟେଟଗାମା ୱାର୍ଡରେ ଘଟିଥିଲା, ଯେତେବେଳେ ଅଧିକାଂଶ ଲୋକ ଶୋଇଥିଲେ । ଗାଁ ଲୋକମାନେ ସନ୍ଦେହ କରିଥିଲେ ଯେ ବାବୁଲାଲ ଓରାଓଁଙ୍କ ପତ୍ନୀ ସୀତା ଦେବୀ ଜଣେ ଡାହାଣୀ ବୋଲି ।
ମୃତକଙ୍କ ମଧ୍ୟରେ ବାବୁଲାଲ ଓରାଓଁ, ପତ୍ନୀ ସୀତା ଦେବୀ, ମା କାଟୋ ଦେବୀ, ପୁଅ ମନଜିତ କୁମାର ଏବଂ ବୋହୂ ରାଣୀ ଦେବୀ ଅଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ପିଟିପିଟି ହତ୍ୟା- ସୂଚନା ଅନୁଯାୟୀ, ଡାହାଣୀ ଅଭିଯୋଗରେ ପ୍ରଥମେ 5 ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ତା’ପରେ ଘରକୁ ନିଆଁ ଲଗାଇ ଦିଆଯାଇଥିଲା। ସେହି ସମୟରେ ପରିବାରର ଜଣେ ପୁଅ ଭୟରେ ତାଙ୍କ ମାମୁଁ ଘରକୁ ଯାଇଥିଲା। ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା।
ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢାଉ କରାଯାଉଛି । ହତ୍ୟାକାରୀମାନେ ପ୍ରଥମେ ଘରେ ପ୍ରବେଶ କରି ମହିଳାଙ୍କୁ ପ୍ରବଳ ମାଡ଼ ମାରିଥିଲେ ।
ପୋଲିସ ଷ୍ଟେସନ ଇନଚାର୍ଜ ଉତ୍ତମ କୁମାର କହିଛନ୍ତି ଯେ 5 ଜଣଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଲୁଚାଇ ରଖାଯାଇଛି । ମୃତଦେହକୁ ଖୋଜା ଚାଲିଛି । ଘଟଣାସ୍ଥଳକୁ ଫୋରେନସିକ୍ ଟିମ୍ ଏବଂ ଡଗ୍ ସ୍କ୍ବାଡ୍ ଡକାଯାଇଛି । ଏସପି ସ୍ୱିଟି ସହରାୱତ ଘଟଣାସ୍ଥଳରେ କ୍ୟାମ୍ପିଂ କରୁଛନ୍ତି ।