fbpx

ଆଜିଠୁ ଆରମ୍ଭ ଫୁଟବଲ୍ ମହାକୁମ୍ଭ: ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର (ଓଡ଼ିଶାଭାସ୍କର): ମଙ୍ଗଳବାର ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେଉଛି ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍ । ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ବିଶ୍ୱକପ୍ର ଉଦ୍ଘାଟନ କରାଯିବ । ଏଥିପାଇଁ ଷ୍ଟାଡିୟମ ପରିସର ଠାରୁ ଆରମ୍ଭ କରି ସାରା ରାଜଧାନୀ ସଜେଇ ହୋଇଛି । ୧୨ ହଜାର ଦର୍ଶକ ବସିବାର କ୍ଷମତା ରଖିଥିବା କଳିଙ୍ଗ ଷ୍ଟାଡିୟମ୍କୁ ସମ୍ବଲପୁରୀ ବସ୍ତ୍ରରେ ଅତି ସୁନ୍ଦର ଭାବେ ସଜାଯାଇଛି । ଲାଲ୍ ସବୁଜ ଓ ଧଳା ପ୍ରିଣ୍ଟରେ ସିଟ୍ଗୁଡ଼ିକୁ ନୂଆ ରୂପ ଦିଆଯାଇଛି ।

ତା’ଛଡ଼ା ଭୁବନେଶ୍ୱରର ବିଭିନ୍ନ ଛକ ପୋଷ୍ଟର ଓ ବ୍ୟାନରରେ ଝଲସୁଛି । ଏହି ବିଶ୍ୱକପ୍ର ଆୟୋଜକ ଭାରତ ସମେତ ବ୍ରାଜିଲ, ମରକ୍କୋ ଏବଂ ଆମେରିକା ଟିମ୍ ଏହି ମ୍ୟାଚ୍ରେ ଭାଗ ନେବେ । ଉଦ୍ଘାଟନୀ ମ୍ୟାଚ୍ରେ ମରକ୍କୋ-ବ୍ରାଜିଲ, ସନ୍ଧ୍ୟାରେ ଭାରତ ଓ ଆମେରିକା ମଧ୍ୟରେ ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଚଳିତ ମାସ ୧୧, ୧୪ ଏବଂ ୧୭ ତାରିଖରେ ମୋଟ୍ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବାବେଳେ ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ଏହି ବିଶ୍ୱକପ୍ର କେତୋଟି ମ୍ୟାଚ୍ ଖେଳାଯିବ ।

ଫୁଟବଲ୍ ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍କୁ ୪ସ୍ତରୀୟ ସୁରକ୍ଷା ବଳୟରେ ରଖାଯିବ । ସୋମବାର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଳିଙ୍ଗ ଷ୍ଟାଡିୟମ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଭୁବନେଶ୍ୱର ଡିସିପିଙ୍କ ସମେତ ୬ ଜଣ ଅତିରିକ୍ତ ଡିସିପି, ୧୪ ଜଣ ଏସିପି, ୩୦ ଜଣ ଇନ୍ସପେକ୍ଟର, ୧୦୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୫ ପ୍ଲାଟୁନ୍ ଫୋସର୍୍ ମୁତୟନ ରହିବେ । ସେହିପରି ପାର୍କିଂ ଓ ଟ୍ରାଫିକ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖଳାଳିଙ୍କ ସୁରକ୍ଷା ପାଇଁ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.