ପ୍ରାର୍ଥନା ପରେ ଛାତ୍ରୀମାନେ ପହଞ୍ଚିବାରୁ ରାଗରେ ଏମିତି କଲେ କ୍ଲାସ ଟିଚର, ମୁଣ୍ଡ ଟେକିଲା ବିବାଦ

ଅମରାବତୀ– ସ୍କୁଲରେ ଆୟୋଜିତ ହେଉଥିବା ଦୈନିକ ପ୍ରାର୍ଥନା ସଭାରେ ପହଞ୍ଚିବାରେ ଛାତ୍ରୀଙ୍କ ବିଳମ୍ବତାକୁ ନେଇ ଏମିତି ରାଗିଲେ ଶିକ୍ଷୟିତ୍ରୀ କି, ସେ ଛାତ୍ରୀଙ୍କୁ ଦେଲେ କଠୋର ଦଣ୍ଡ । ଏହି ଘଟଣା ଜଣାପଡିବା ପରେ ଏବେ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ । ଶିକ୍ଷୟିତ୍ରୀଙ୍କ ବିରୋଧରେ ଆରମ୍ଭ ହୋଇଛି ଅଭିଯାନ । ଏପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ ।

ଆନ୍ଧ୍ରପ୍ରଦେଶରେ ଥିବା କସ୍ତୁର୍ବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟରେ ୧୮ ଜଣ ଛାତ୍ରୀ ବିଳମ୍ବରେ ଯାଇ ପହଞ୍ଚିଲେ । ସେମାନଙ୍କ ବିଳମ୍ବ ପାଇଁ ସେମାନେ ପ୍ରାର୍ଥନା ସଭାରେ ଉପସ୍ଥିତ ହୋଇପାରି ନ ଥିଲେ । ଏହାକୁ ନେଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏମିତି ରାଗିଲେ ଯେ ସେହି ଛାତ୍ରୀମାନଙ୍କ ଚୁଟି କାଟିଦେଲେ । ସେତିକି ନୁହେଁ, ୪ ଜଣଙ୍କୁ ମାଡ ମାରିବା ସହ ସେମାନଙ୍କୁ ଖରାରେ ଠିଆ କରାଇଥିବା ଅଭିଯୋଗ ହୋଇଛି । ପିଲାଙ୍କୁ ଏପରି ଅକଥନୀୟ ଦଣ୍ଡ ଦେବା ପରେ ପୁଣି ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧମକ ଦେଇଥିଲେ କି କେହି ମଧ୍ୟ ଘରେ ଏହି କଥା କହିବେ ନାହିଁ ।

ପିଲାଙ୍କର ଡେରି ହେବା ସହ ସେମାନଙ୍କ ଚୁଟିର କୌଣସି ସମ୍ପର୍କ ନ ଥିଲା । ହଷ୍ଟେଲକୁ ପାଣି ଆସିବାରେ ବିଳମ୍ବ ପାଇଁ ସେମାନେ ସ୍କୁଲରେ ଡେରିରେ ପହଞ୍ଚିଥିଲେ । ତେବେ ପିଲାଙ୍କ ପ୍ରତି ଦିଦିଙ୍କର ଏପରି ବ୍ୟବହାର ସମ୍ପର୍କରେ ଜଣାପଡିବା ପରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି । ସେହି ଶିକ୍ଷୟିତ୍ରୀଙ୍କଠାରୁ ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ହେଉଛି ।

ଅନ୍ୟପଟେ ଶିକ୍ଷୟିତ୍ରୀ କହିଛନ୍ତି, ସେ ଛାତ୍ରୀଙ୍କୁ ଅନୁଶାସନ ଶିଖାଇବାକୁ ଏମିତି କରିଛନ୍ତି । ତାଙ୍କର ଛାତ୍ରୀଙ୍କ ପ୍ରତି କୌଣସି ଅସୂୟା ଭାବ ନାହିଁ ।