fbpx

ବେଆଇନ୍ ଧର୍ମାନ୍ତରଣ ଦେଶର ସୁରକ୍ଷା ପ୍ରତି ବିପଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାପ, ପ୍ରତାରଣା କିମ୍ବା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଏକ ଗୁରୁତର ମାମଲା ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ, ଏହା କେବଳ ଧାର୍ମିକ ସ୍ୱାଧୀନତାର ଅଧିକାର ବିରୁଦ୍ଧରେ ନୁହେଁ ବରଂ ଦେଶର ସୁରକ୍ଷା ପ୍ରତି ବିପଦ । ବେଆଇନ ଧର୍ମାନ୍ତରଣ ବିରୋଧରେ ଆଇନ ପ୍ରଣୟନ କରିବା ଦାବିରେ ନଭେମ୍ବର ୨୨ ସୁଦ୍ଧା ଉତ୍ତର ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ୨୮ ନଭେମ୍ବରରେ ହେବ । ସେପ୍ଟେମ୍ବର ୨୩ରେ ଜଷ୍ଟିସ ଯେଉଁମାନେ ଚାପ, ଲୋଭ କିମ୍ବା ପ୍ରତାରଣା ମାଧ୍ୟମରେ ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରବା ନେଇ ନୋଟିସ୍ ଜାରି କରିଥିଲେ ଏମ.ଆର. ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ।

ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଥିଲେ । ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାର ଉତ୍ତର ଦାଖଲ ନକରିବାରୁ ବିଚାରପତିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଷ୍ଟିସ ଶାହା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି, “ଏହା ମଧ୍ୟ ଦେଶର ସୁରକ୍ଷା ସହ ଜଡିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଆପଣ କହୁଛନ୍ତି ଯେ କେତେକ ରାଜ୍ୟ ଆଇନ ପ୍ରଣୟନ କରିଛନ୍ତି କିନ୍ତୁ ଆମେ କେନ୍ଦ୍ର ସରକାରଙ୍କ ସ୍ଥିତି ଜାଣିବାକୁ ଚାହୁଁଛୁ । ଆପଣ ନଭେମ୍ବର ୨୨ ସୁଦ୍ଧା ଏହା ଉପରେ ଉତ୍ତର ଦାଖଲ କରନ୍ତୁ ।

୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତାମିଲନାଡୁର ତଞ୍ଜାବୁରର ଜଣେ ୧୭ ବର୍ଷୀୟ ଛାତ୍ର ଲାବଣ୍ୟା ଚଳିତ ବର୍ଷ ଜାନୁଆରୀ ୧୯ ରେ କୀଟନାଶକ ଖାଇ ଆତ୍ମହତ୍ୟା କରିଥିଲେ । ଏହା ପୂର୍ବରୁ ସେ ଏକ ଭିଡିଓ କରିଥିଲେ । ସେହି ଭିଡିଓରେ ଲାବଣ୍ୟା କହିଥିଲେ ଯେ ତାଙ୍କ ସ୍କୁଲରେ ତାଙ୍କୁ ଖ୍ରୀଷ୍ଟିଆନ ହେବା ପାଇଁ ବହୁ ସମୟରେ ଚାପ ପକାଯାଉଥିଲା । ତାଙ୍କ ଉପରେ ହେଉଥିବା ବାରମ୍ବାର ଉତ୍ପୀଡ଼ନରୁ ହତାଶ ହୋଇ ସେ ଆତ୍ମହତ୍ୟା କରୁଛନ୍ତି । ମାଡ୍ରାସ ହାଇକୋର୍ଟ ଘଟଣାର ତଦନ୍ତ ସିବିଆଇକୁ ଦେଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରିଥିଲେ ।

Get real time updates directly on you device, subscribe now.