fbpx
BSKY
BJD MC SKY
BJD YOUTH SKY

ଜଙ୍ଗଲ ନିଆଁ ମଣିଷ ଜାତି ପାଇଁ ବିପଦ: ଧ୍ୱଂସ ପାଇଯିବେ ବୃକ୍ଷଲତା ଓ ବନ୍ୟଜୀବ, FSI Report ବଢ଼ାଇଲା ଓଡ଼ିଶାର ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ସେହି ଅନୁପାତରେ ପ୍ରକୃତି ନଷ୍ଟ ହୋଇ ଚାଲିଛି । କଳକାରଖାନା, ଗାଡ଼ିମଟର, ଶିଳ୍ପାନୁଷ୍ଠାନ, ଟେକ୍ନୋଲୋଜିର ବିକାଶ ପରୋକ୍ଷରେ ଜଳବାୟୁ ଉପରେ କୁପ୍ରଭାବ ପକାଉଛି । ଫଳରେ ଋତୁଚକ୍ର ଅନୁଯାୟୀ ପାଣିପାଗର ପରିବର୍ତ୍ତନରେ ବ୍ୟତିକ୍ରମ ଦେଖାଯାଉଛି । ବର୍ତ୍ତମାନ ଫେବୃଆରୀ ମାସ ଚାଲିଥିବା ବେଳେ ରାଜ୍ୟରେ ଡହଡହ ଖରା ହେଉଛି । ଫଳରେ ବହୁ ଜଙ୍ଗଲରେ ନିଆଁ ଲାଗିଯାଉଥିବା ଦେଖାଯାଉଛି ।

ତେବେ ଯଦି ସ୍ଥିତି ଏପରି ରୁହେ, ତେବେ ଆଗାମୀ ଦିନରେ ବହୁ ଜଙ୍ଗଲରେ ମଧ୍ୟ ନିଆଁ ଲାଗିବାର ସମ୍ଭାବନା ରହିଛି । ଏହି ନିଆଁ ଜଙ୍ଗଲୀ ଜୀବଜନ୍ତୁଙ୍କ ବାସସ୍ଥାନ, ଖାଦ୍ୟ ନଷ୍ଟ କରିଦେଉଛି । ସମୟକ୍ରମେ ଧୀରେଧୀରେ ଜଙ୍ଗଲୀ ଜୀବ ପୃଥିବୀପୃଷ୍ଠରୁ ଗାଏବ ହୋଇଯିବେ, ଯାହାର ଭୟଙ୍କର ପରିଣାମ ଭୋଗିବ ମଣିଷ ଜାତି । ଏହା ମଧ୍ୟରେ ଶହ ଶହ ଜୀବ ପ୍ରଜାତି ବିଶ୍ୱବକ୍ଷରୁ ଉଭେଇ ଯାଇଥିବା ନେଇ ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ତେବେ ନିକଟରେ ରାଜ୍ୟର ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ଏହା ୨ କି.ମି. ଅଞ୍ଚଳକୁ ବ୍ୟାପି ସାରିଲାଣି । ଏହି ନିଆଁ ଉଭୟ ବୃକ୍ଷଲତା ଓ ବନ୍ୟଜନ୍ତୁଙ୍କୁ ନଷ୍ଟ କରିଦେଉଛି । ପ୍ରକୃତିର ସୃଷ୍ଟିରେ ବିଭିନ୍ନ ପ୍ରକାରର ଜୀବଙ୍କର ପରସ୍ପର ସହିତ ନିର୍ଭରଶୀଳତା ରହିଛି । ଯଦି ବୃକ୍ଷଲତା, ଜୀବଜନ୍ତୁଙ୍କର ଅବସ୍ଥା ଏପରି ହେବ ତେବେ ମଣିଷ ମଧ୍ୟ ବେଶି ଦିନ ତିଷ୍ଠି ପାରିବ ନାହିଁ ।

ତେବେ ଭାରତୀୟ ବନ ସର୍ବେକ୍ଷଣ (ଏଫଏସଆଇ)ର ତଥ୍ୟ ଅନୁଯାୟୀ, ଗତ ମାସ ୧ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାରେ ୧୯୩୯ଟି ବନାଗ୍ନି ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ନେଇ ବେଶି ଚିନ୍ତା ବଢ଼ୁଛି । କିଛି ସ୍ଥାନରେ ନିଆଁ ମନୁଷ୍ୟକୃତ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସ୍ୱାଭାବିକ ଭାବେ ହେଉଛି । ତାପମାତ୍ରା ଓ ବର୍ଷା ଠିକ୍ ସମୟରେ ନ ହେବାରୁ ଏହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ବିଭିନ୍ନ ପ୍ରକାରର ଫସଲ ଉପରେ ପଡ଼ୁଛି ।

ଏବେ ନିଆଁର ସ୍ଥିତି ଏପରି ଯେ ଆଗାମୀ ଦିନରେ ଏହାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ ବୋଲି କିଛି ପରିବେଶବିତ୍ ମତ ଦେଇଛନ୍ତି । ଗତ ୨୦୨୧ରେ ରାଜ୍ୟର ମୟୁରଭଞ୍ଜ ଜିଲ୍ଲାର ଶିମିଳପାଳ ଅଗ୍ନିକାଣ୍ଡକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସେ ସମୟରେ ମାତ୍ର ୩୦ ଦିନ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୪୨୮ଟି ସ୍ଥାନରେ ନିଆଁ ଲାଗିଥିଲା । ତେବେ ନିଆଁକୁ ରୋକିବା ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଜଙ୍ଗଲ ନିଆଁକୁ ରୋକିବା ପ୍ରକୃତିକୁ ବଞ୍ଚାଇବା କେବଳ ସରକାରଙ୍କ କାମ ନୁହେଁ, ପ୍ରତ୍ୟେକ ମଣିଷର ମଧ୍ୟ ବଡ଼ ଦାୟିତ୍ୱ ଅଟେ ।

Get real time updates directly on you device, subscribe now.