fbpx

୧୬ ହଜାର ଲାଞ୍ଚ ନେଉଥିଲେ ଫରେଷ୍ଟ ଗାର୍ଡ : ମାଡିବସିଲା ଭିଜିଲାନ୍ସ

ପୋଲସରା: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଥିବା ବେଳେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ରେଞ୍ଜ ପାଟଣାଗଡ ସେକସନ ଅନ୍ତର୍ଗତ ପରୁଆଭାଡି ଫରେଷ୍ଟଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ୱାଇଁ ବନସୁରକ୍ଷା ସମିତିର ଜଣେ ସଭାପତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଟିମ ହାତରେ ଧରାପଡିଥିବା ଜଣାପଡିଛି ।

ସୂଚନା ଅନୁସାରେ ବନ ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀ କର୍ମ ନିଶ୍ଚିତ ନିଯୁକ୍ତି ଯୋଜନାରେ କାମ ଚାଲିଥିବା ବେଳେ ଉକ୍ତ କାମକୁ ବନ ସଂରକ୍ଷଣ ସମିତିର ସଭାପତି ଦେଖାଶୁଣା କରୁଥିଲେ । ଏହି କାମରେ ଜଣେ ଶ୍ରମିକଙ୍କ ନାମରେ ମଷ୍ଟରରୋଲ ତିଆରି କରାଯାଇଥିବା ବେଳେ ପାରିଶ୍ରମିକ ଟଙ୍କା ଅନ୍ୟ ଜଣଙ୍କର ନାମରେ ଥିବା ପାସବୁକରେ ୧୬ ହଜାର ଟଙ୍କା ଜମା କରାଯାଇଥିଲା । ଉକ୍ତ ଜମା ଟଙ୍କାକୁ ଭାଗବଣ୍ଟା କରିବା ପାଇଁ ବନସୁରକ୍ଷା ସମିତିର ସଭାପତି ଫରେଷ୍ଟ ଗାର୍ଡ ଶ୍ରୀ ସ୍ୱାଇଁଙ୍କ ପାଖକୁ କିଛିଦିନ ପୂର୍ବରୁ ଆସିଥିଲେ । ତେବେ ଏହି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ଏହାପରେ ବନ ସଂରକ୍ଷଣ ସଭାପତି ଜଣକ ସମ୍ବଲପୁର ଭିଜିଲାନ୍ସ ଟିମର ଦ୍ୱାରସ୍ଥ ହୋଇଥିଲେ ।

ଏହାପରେ ଭ୍ଜଲାନ୍ସ ଟିମ୍ ପାଟଣାଗଡ ରେଞ୍ଜ ଅଫିସ ଭିତରେ ଥିବା ତାଙ୍କ ସରକାରୀ ବାସଭବନରେ ପହଞ୍ଚି ଥିଲେ । ତେବେ ସଭାପତିଙ୍କଠାରୁ ଟଙ୍କା ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିବା ସହ ଉକ୍ତ ଟଙ୍କା ଜବତ କରିଛନ୍ତି । ଏନେଇ ଭିଜିଲାନ୍ସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ମିଳିବା ପରେ ଫରେଷ୍ଟଗାର୍ଡ ଶ୍ରୀ ସ୍ୱାଇଁଙ୍କ ପୈତୃକ ବାସଭବନ ସହ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଫରେଷ୍ଟ ଗାଡ଼ ସ୍ୱାଇଁକୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରୁଛି ।

Get real time updates directly on you device, subscribe now.