fbpx

RBI Hike Repo Rate: ଦଶହରା ପୂର୍ବରୁ ମିଳିଲା ଝଟକା, ପୁଣି ବଢ଼ିଲା ରେପୋ ରେଟ୍

ନୂଆଦିଲ୍ଲୀ: ଦଶହରା ପୂର୍ବରୁ ଦେଶର ଜନତାଙ୍କୁ ଜବରଦସ୍ତ ଝଟକା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ଉପରେ ରୋକ ଲଗାଇବା ପାଇଁ ଆରବିଆଇ ରେପୋ ରେଟରେ ବୃଦ୍ଧି କରିଛି । ଗତ ଅଗଷ୍ଟ ୫ ତାରିଖରେ ଆରବିଆଇ ୦.୫୦ ପ୍ରତିଶତ ରେପୋ ରେଟ୍ ବୃଦ୍ଧି କରିଥିଲା ।

ଆଜି ଆରବିଆଇର ମନିଟାରି ପଲିସୀ କମିଟି (ଏମପିସି) ବୈଠକ ଶେଷ ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଗଭର୍ଣ୍ଣର ଶ୍ରୀ ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ ରେପୋ ରେଟରେ ୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ମହଙ୍ଗା ମାଡ଼ରୁ ରକ୍ଷା ପାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା ସେ କହିଥିଲେ ।

ଗତ ମାର୍ଚ୍ଚ ମାସରୁ ଆଜି ସୁଦ୍ଧା ରେପୋ ରେଟରେ ଚାରି ଥର ବୃଦ୍ଧି ହୋଇସାରିଛି । ପୂର୍ବରୁ ରେପୋ ରେଟ୍ ୫.୪୦ ରହିଥିବା ବେଳେ ଏବେ ତାହା ୫.୯୦ରେ ପହଞ୍ଚି ଯାଇଛି । କରୋନା ଭାଇରସ ମହାମାରୀ ଓ ୟୁକ୍ରେନ-ରୁଷ ଯୁଦ୍ଧର ଝଟକା ପରେ କେନ୍ଦ୍ରୀୟ ବ୍ୟାଙ୍କର ଆକ୍ରାମକ ମୌଦ୍ରିକ ନୀତି ଦେଖିବାକୁ ମିଳିଥିଲା । ଆର୍ଥିକ ବର୍ଷ ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତରୁ ହ୍ରାସ ପାଇ ୭ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ଏନେଇ ସୁବିସ୍ତୃତ ସୂଚନା ଦେଇଛନ୍ତି ଶ୍ରୀ ଦାସ ।

Get real time updates directly on you device, subscribe now.