fbpx

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ରୋସେୟାଙ୍କ ପରଲୋକ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାମିଲନାଡ଼ୁର ପୂର୍ବତନ ରାଜ୍ୟପାଳ କେ.ରୋସେୟା ଆଉ ନାହାନ୍ତି । ୮୮ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘଦିନରୁ ସେ ଅସୁସ୍ଥ ରହିବା ସହ ଗତକାଲି ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସେ ଦୀର୍ଘ ୫ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିବା ସହ ଏକାଧିକ ଥର ବିଧାୟକ, ବିଧାନ ପରିଷଦ ସଦସ୍ୟ ଓ ସାଂସଦ ରହିଥିଲେ । ୨୦୧୧ ଅଗଷ୍ଟ ୩୧ରୁ ୨୦୧୬ ଅଗଷ୍ଟ ୩୦ ପର୍ଯ୍ୟନ୍ତ ସେ ତାମିଲନାଡ଼ୁର ରାଜ୍ୟପାଳ ପଦରେ ରହିଥିଲେ । ୧୯୬୮ ମସିହାରେ ସେ ବିଧାନ ପରିଷଦର ସଦସ୍ୟ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶର ଅର୍ଥମନ୍ତ୍ରୀ ଭାବେ ସେ ୧୫ ଥର ବଜେଟ୍ ଆଗତ କରି ରେକର୍ଡ କରିଥିଲେ । ତାଙ୍କର ମୃତ୍ୟୁରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଚନ୍ଦ୍ରବାବୁ ନାଇଡ଼ୁ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ରାଜନେତା ଦୁଃଖପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.