fbpx

‘ମୁଁ ଚଣ୍ଡିଗଡ଼ରେ ଅଛି, ଖୁବଶୀଘ୍ର ମୁମ୍ବାଇ ଯିବି’, ନିଖୋଜ ପରମବୀର ସିଂହଙ୍କ ସନ୍ଧାନ ମିଳିଲା

ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ସନ୍ଧାନ ମିଳିଛି । ତେବେ ସେ ବର୍ତ୍ତମାନ ଚଣ୍ଡିଗଡ଼ରେ ଅଛନ୍ତି ଓ ଖୁବଶୀଘ୍ର ମୁମ୍ବାଇ ଯିବେ ବୋଲି ପରବବୀର ଏକ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି । ଦୁଇଦିନ ପୂର୍ବରୁ ସୁପ୍ରିମକୋର୍ଟ ପରମବୀରଙ୍କୁ ସୁରକ୍ଷା ପ୍ରଦାନ କରିବା ନେଇ ଘୋଷଣା ପରେ ତାଙ୍କର ଆବିର୍ଭାବ ହୋଇଛି । ଗତ କିଛିଦିନ ଧରି ପରମବୀରଙ୍କ କୌଣସି ଖୋଜ ଖବର ମିଳୁନଥିଲା ।

ସୂଚନାଯୋଗ୍ୟ ଯେ, ପରମବୀର ନିଖୋଜ ହୋଇଯାଇଥିବା ନେଇ ମହାରାଷ୍ଟ୍ର ସରକାର ପୂର୍ବରୁ ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲେ । ତାଙ୍କୁ ନେଇ ଅନେକ ତଦନ୍ତକାରୀ ସଂସ୍ଥା ତଦନ୍ତ ଜାରି ରଖିଥିବାରୁ ସେ ଦେଶ ଛାଡ଼ି ପଳାୟନ କରିଥିବା କୁହାଯାଉଥିଲା । ତେବେ ଏବେ ସେ ସାମନାକୁ ଆସିବା ପରେ ତଦନ୍ତ କାର୍ଯ୍ୟରେ ସହଯୋଗ କରିବେ ବୋଲି ପରବବୀର କହିଛନ୍ତି । ଗତ ଏପ୍ରିଲ ୭ରେ ସେ ଏନଆଇଏରେ ହାଜର ହୋଇଥିଲେ । ଫେବୃଆରୀ ୨୫ରେ ଘଟିଥିବା ଆଣ୍ଟିଲିଆ ବୋମା ମାମଲାରେ ତାଙ୍କୁ ସମନ ଜାରି କରାଯାଇଥିଲା । ଏହି ମାମଲାରେ ପୋଲିସ ଅଫିସର ସଚିନ ୱାଜେଙ୍କୁ ଗିରଫ କରାଯାଇଥିଲା । ପରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ । ଏହି ଘଟଣା ପରେ ମାର୍ଚ୍ଚ ୧୭ରେ ତାଙ୍କୁ ହୋମଗାର୍ଡ ବିଭାଗକୁ ବଦଳି କରିଦିଆଯାଇଥିଲା । ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଗତ ମେ ୫ରୁ ସେ ଛୁଟିରେ ଯାଇଥିଲେ ଓ ପରେ ଅଗଷ୍ଟ ୨୯ ପର୍ଯ୍ୟନ୍ତ ଛୁଟି ମାଗିଥିଲେ । ଏହାପରଠାରୁ ସେ ନିଖୋଜ ହୋଇଯାଇଥିଲେ । ଅନେକ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜି ପାଇନଥିଲେ ଓ ତାଙ୍କର ସମସ୍ତ ଫୋନ୍ ସୁଇଚ୍ ଅଫ୍ ଥିଲା ।

Get real time updates directly on you device, subscribe now.