ଓ୍ଵାଶିଂଟନ: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ (୮୨) ପ୍ରୋଷ୍ଟେଟ କର୍କଟରେ ଆକ୍ରାନ୍ତ ହୋଇଥିବା ଖବର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଦିଆଯାଇଛି। ଏହି ରୋଗ ତାଙ୍କ ହାଡ଼ରେ ବ୍ୟାପି ସାରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ମୂତ୍ରସମ୍ବନ୍ଧୀୟ ସମସ୍ୟା ଅନୁଭବ କରିବା ପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ବାଇଡେନ। ପରୀକ୍ଷା ସମୟରେ ତାଙ୍କ ପ୍ରୋଷ୍ଟେଟରେ ଏକ ଛୋଟ ଗାଠି ମିଳିଥିଲା, ଯାହାପରେ ଅଧିକ ତଦନ୍ତ କରାଯାଇଥିଲା। ଶୁକ୍ରବାର ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ବାଇଡେନଙ୍କୁ ପ୍ରୋଷ୍ଟେଟ କର୍କଟ ହୋଇଛି ଏବଂ ଏହା ତାଙ୍କ ହାଡ଼କୁ ବ୍ୟାପିଛି।
ବାଇଡେନଙ୍କ କାର୍ଯ୍ୟାଳୟ କହିଛି, “ଏହା ରୋଗର ଏକ ଅଧିକ ଆକ୍ରମଣାତ୍ମକ ରୂପ ହେଲେ ମଧ୍ୟ, କର୍କଟ ହରମୋନ-ସମ୍ବେଦନଶୀଳ ବୋଲି ଜଣାପଡ଼ିଛି, ଯାହା ଏହାର ପ୍ରଭାବଶାଳୀ ଚିକିତ୍ସା ପାଇଁ ସୁଯୋଗ ଦେଉଛି।” ବିଶେଷଜ୍ଞଙ୍କ ମତରେ, ଏଭଳି ମାମଲାରେ ହରମୋନ ଥେରାପି, କିମୋଥେରାପି ଏବଂ କିଛି କ୍ଷେତ୍ରରେ ହାଡ଼-ଲକ୍ଷ୍ୟ ଚିକିତ୍ସା ଫଳପ୍ରଦ ହୋଇପାରେ। ବାଇଡେନ ଓ ତାଙ୍କ ପରିବାର ବର୍ତ୍ତମାନ ଡାକ୍ତରଙ୍କ ସହ ଚିକିତ୍ସା ବିକଳ୍ପଗୁଡ଼ିକ ଉପରେ ଆଲୋଚନା କରୁଛନ୍ତି।
ଆମେରିକୀୟ କର୍କଟ ସୋସାଇଟିର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ଡ. ଉଇଲିୟମ ଦାହୁତଙ୍କ ମତରେ, ଯଦି କର୍କଟ ହାଡ଼ରେ ବ୍ୟାପିଯାଏ, ତାହାକୁ ସମ୍ପୂର୍ଣ୍ଣ ନିରାମୟ କରାଯାଇପାରିବ ନାହିଁ। ତେବେ ପ୍ରାରମ୍ଭିକ ଚିକିତ୍ସାରେ ଅନେକ ରୋଗୀ ଭଲ ପ୍ରତିକ୍ରିୟା ଦେଖାଇଥାନ୍ତି ଏବଂ ଏହି ରୋଗ ସହିତ ବହୁ ବର୍ଷ ଜୀବନଯାପନ କରିପାରନ୍ତି। ବାଇଡେନଙ୍କ କର୍କଟର ଗ୍ଲେସନ ସ୍କୋର ୧୦ରୁ ୯ ରହିଛି, ଯାହା ଏହାର ଉଚ୍ଚ-ଗ୍ରେଡ ପ୍ରକୃତିକୁ ସୂଚାଇଦେଇଛି।
ଏହି ଖବର ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ବାଇଡେନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, “ମେଲାନିଆ ଓ ମୁଁ ଜୋ ବାଇଡେନଙ୍କ ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ଶୁଣି ଦୁଃଖୀ। ଆମେ ତାଙ୍କ ପରିବାର ସହ ଅଛୁ ଓ ଶୀଘ୍ର ସୁସ୍ଥତା କାମନା କରୁଛୁ।” ଏହାଛଡ଼ା ପୂର୍ବତନ ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ବାଇଡେନଙ୍କ ପାଇଁ ପ୍ରାର୍ଥନା କରୁଥିବା ଏକ୍ସରେ ଲେଖିଛନ୍ତି। ସେ କହିଛନ୍ତି, “ବାଇଡେନ ଜଣେ ଯୋଦ୍ଧା ଏବଂ ମୋର ବିଶ୍ଵାସ ସେ ଏହି ଚ୍ୟାଲେଞ୍ଜକୁ ସମ୍ପୂର୍ଣ୍ଣ ଶକ୍ତି ସହ ମୁକାବିଲା କରିବେ।”