fbpx
BJD SKY
BJD SKY

ମାଟି ଭିତରୁ ବାହାରିଲା ୪ କେଜିର ସୁନା ଖଣ୍ଡ: ପୂର୍ବରୁ ବାହାରିଥିଲା ୬୬ କେଜିର ସୁନା, ବଢ଼ିଲା ରହସ୍ୟ

BJD

ନୂଆଦିଲ୍ଲୀ: ପୃଥିବୀର ଭୂପୃଷ୍ଠ ତଳେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଗଚ୍ଛିତ ହୋଇ ରହିଛି । ଅନେକ ସମୟରେ ମାଟି ତଳୁ ସୁନା, ରୁପା ପରି କିଛି ମୂଲ୍ୟବାନ ଧାତୁ ମିଳିଥାଏ । ଏହି ଘଟଣା ଖୁବ୍ ବିରଳ ହୋଇଥିବା ବେଳେ ରାତାରାତି ଉକ୍ତ ବ୍ୟକ୍ତିଙ୍କର ଭାଗ୍ୟ ବଦଳିଥାଏ । ତେବେ ନିକଟରେ ଜଣେ ସନ୍ଧାନକାରୀ ସୁନା ଖୋଜୁ ଖୋଜୁ ଏକ ବଡ଼ ସୁନା ମୁଣ୍ଡା ପାଇଛନ୍ତି । ଏହି ସୁନାକୁ ବିକ୍ରି କରିବା ପରେ ତାହା ଏକ କୋଟିରୁ ଅଧିକ ଟଙ୍କା ହୋଇଥିଲା । ତେଣୁ କେତେବେଳେ କାହାର ଭାଗ୍ୟ ବଦଳିବ ତାହା କେହି କହିପାରିବେ ନାହିଁ ।

ସୂଚନା ମୁତାବକ, ଅଷ୍ଟ୍ରେଲିଆରୁ ଏଭଳି ଏକ ବଡ଼ ଘଟଣା ଘଟିଛି । ଭିକ୍ଟୋରିଆର ଜଣେ ବ୍ୟକ୍ତି ନିଜର ମେଟାଲ ଡିଟେକ୍ଟର ସହାୟତାରେ ଏକ ଜମିରେ ମେଟାଲ ସନ୍ଧାନ କରୁଥିଲେ । ତେବେ ଏହି ସମୟରେ ସେ ଏକ ବିଶାଳ ଧାତୁ ଖଣ୍ଡ ବିଷୟରେ ଜାଣିଥିଲେ । ତାଙ୍କ ପାଖରେ ଏକ ସାଧାରଣ ମେଟାଲ ଡିଟେକ୍ଟର ରହିଥିଲା । ୧୮୦୦ ଦଶକରେ ଯେଉଁ ଅଞ୍ଚଳରୁ ୬୬ କେଜିର ସୁନା ମିଳିଥିଲା ସନ୍ଧାନକାରୀ ଉକ୍ତ ସ୍ଥାନରେ ସୁନା ଖୋଜିଥିଲେ । ୧୮୬୯ ମସିହାରେ ଜଣେ ଖଣି ଶ୍ରମିକ ସେହି ସ୍ଥାନରୁ ପାଖାପାଖି ୨୨ କୋଟି ମୂଲ୍ୟର ସୁନା ସନ୍ଧାନ କରିଥିଲେ ।

ତେବେ ସନ୍ଧାନକାରୀ ଜଣଙ୍କ ଭୂତଳ ମାଟିରୁ ସଂଗ୍ରହ କରିଥିବା ସୁନାକୁ ନେଇ ଦୋକାନକୁ ଯାଇଥିଲେ । ତା’ର ମୂଲ୍ୟ ପାଖାପାଖି ୧.୩ କୋଟି ଟଙ୍କା ହୋଇଥିଲା । ଦୋକାନର ମାଲିକ ଏ ବାବଦରେ ଗତ ମାସ ୨୭ ତାରିଖରେ ନିଜ ଫେସବୁକ ପେଜରେ ପୋଷ୍ଟ କରିଥିଲେ । ଉକ୍ତ ଧାତୁ ଖଣ୍ଡର ଓଜନ ୪.୬ କେଜି ରହିଥିବା ବେଳେ ସେଥିରେ ୨.୬ କେଜିର ସୁନା ରହିଥିଲା । ତେବେ ଏପରି ଭାବେ ୧୫୪ ବର୍ଷ ପରେ ପୁଣି ଇତିହାସ କଡ଼ ଲେଉଟାଇଥିଲା । ଗୋଟିଏ ସ୍ଥାନରୁ ଦୁଇଥର ସୁନାର ସନ୍ଧାନ ମିଳିବା ପରେ ଏବେ ସେ ସ୍ଥାନ ଉପରେ ସୁନା ସନ୍ଧାନକାରୀମାନେ ରିସର୍ଚ୍ଚ କରିବା ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.