fbpx
BJD SKY
BJD SKY

ସତରେ କ’ଣ କରୋନା ଏତେ ନିଷ୍ଠୁର? ଚାରି ଦିନରେ ଗୋଟିଏ ପରିବାରର ଗଡ଼ିଲାଣି ଚାରିଟି ମୁଣ୍ଡ, ପଞ୍ଚମ ଜଣଙ୍କ ହସ୍ପିଟାଲର ବେଡରେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ

BJD

ଓଡ଼ାପଡ଼ା: କରୋନା ଯେ କେତେ ଭୟଙ୍କର ହୋଇପାରେ, ତାହାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକରେ । ଗୋଟିଏ ପରିବାରର ପିତା ପଞ୍ଚାନନ ଲେଙ୍କା (୭୫) ଏବଂ ତିନି ପୁଅ ନିରଞ୍ଜନ (୫୦), ସୁଶାନ୍ତ (୪୫) ଓ ସୁରେଶ (୪୨)ଙ୍କୁ କରୋନା ରୂପକ କାଳ ଡାକି ନେଇଛି । ସେତିକିରେ ମହାମାରୀର କ୍ରୋଧ ଶାନ୍ତ ହୋଇ ନାହିଁ । ପରିବାରର ମାଆ ପ୍ରେମଲତା (୭୨) କୋଭିଡରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ମେଡିକାଲର ବେଡରେ ମରଣ ସହ ସଂଗ୍ରାମ କରୁଛନ୍ତି ।

ସୂଚନା ଅନୁଯାୟୀ, ଗୁଣଦେଇ ପଞ୍ଚାୟତର ମହାଦିଆ ଗ୍ରାମର ୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପଞ୍ଚାନନଙ୍କ ପରିବାରର ସମସ୍ତ ସଦସ୍ୟ ସେମାନଙ୍କ ମଧ୍ୟରେ ସାମିଲ୍ ରହିଥିଲେ । ସର୍ବପ୍ରଥମେ ବଡ଼ପୁଅ ନିରଞ୍ଜନ ଢେଙ୍କାନାଳ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହାପରେ ସମସ୍ତ ପରିବାର ସଦସ୍ୟ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ । ଏହାପରେ ଗତ ଗୁରୁବାର ଦିନ ମଝିଆ ପୁଅ ସୁଶାନ୍ତ, ଶୁକ୍ରବାର ଦିନ ସାନପୁଅ ସୁରେଶ ଓ ଶନିବାର ଦିନ ପଞ୍ଚାନନ କରୋନାରେ ମୃତ୍ୟୁବରଣ କରିଥିଲେ । ହସଖୁସିର ସଂସାରକୁ ଛାରଖାର କରି ପରିବାରକୁ ପୁରୁଷଶୂନ୍ୟ କରିଦେଇଛି ନିଷ୍ଠୁର କରୋନା । ବର୍ତ୍ତମାନ ଗୁରୁତର ଅବସ୍ଥାରେ ପ୍ରେମଲତା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କରୋନା ତାଣ୍ଡବ ରଚି ଚାଲିଥିବା ବେଳେ ମହାଦିଆ ଗ୍ରାମରେ କୋଭିଡ୍ କଟକଣାକୁ ବେଖାତିର କରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ଗ୍ରାମର ପ୍ରତ୍ୟେକ ଘରକୁ ସାନିଟାଇଜ୍ କରିବା ସହ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ଆଉ ଏକ କୋଭିଡ୍ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବାକୁ ଗ୍ରାମବାସୀ ଦାବି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.