fbpx

ପ୍ରକାଶ ପାଇଲା ରେଜଲ୍ଟ: ମାଗଣାରେ ଦିଆଯିବ ସିଭିଲ୍ ସର୍ଭିସ୍ କୋଚିଂ, ମାର୍ଚ୍ଚ ୨୬ରେ ହୋଇଥିଲା ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରତିବର୍ଷ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଫଳତାର ହାର କମିବା ନେଇ ରାଜ୍ୟ ସରକାର ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୨୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ । ଏହି ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଗତ ମାସ ୨୬ ତାରିଖରେ ରାଜ୍ୟର ୫ଟି ସହରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ତେବେ ଏହା ମଧ୍ୟରେ ମାଗଣା ସିଭିଲ ସର୍ଭିସ ପରୀକ୍ଷାକୁ ନେଇ ଏକ ଖବର ଆସିଛି । ଗତ ମାସରେ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ସାମ୍ସ ପୋର୍ଟାଲ https://www.samsodisha.gov.in/CSC/default.aspxକୁ ଯାଇ ପ୍ରାର୍ଥୀମାନେ ନିଜ ନିଜର ପରୀକ୍ଷା ଫଳାଫଳ ଚେକ୍ କରିପାରିବେ । ମୋଟ ୮ ହଜାରରୁ ଅଧିକ ଆଶାୟୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣ ମେଧାବୀଙ୍କୁ ଚୟନ କରାଯିବ । ସେମାନଙ୍କୁ ରାଜ୍ୟ ସରକାର ମାଗଣାରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଟ୍ରେନିଂ ପ୍ରଦାନ କରିବେ ।

ରାଜ୍ୟର ୫ଟି ସହରରେ ଆଶାୟୀମାନେ ପ୍ରବେଶିକା ପରୀକ୍ଷା ଦେଇଥିଲେ । ଏଥିପାଇଁ ଗତ ଫେବୃଆରୀ ମାସ ୧୮ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଗତ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା । ୨ ଘଣ୍ଟା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଉଭୟ ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ପାଇଁ ଆଶାୟୀଙ୍କୁ ଏସକ୍ୟୁ ଆଇଏଏସ ଏକାଡେମୀ ପ୍ରଶିକ୍ଷଣ ପ୍ରଦାନ କରିବ ।

ଅଫଲାଇନରେ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୨୦୦ ମାର୍କର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଆସିଥିଲା । ସେଥିରେ ମଲ୍ଟିପୁଲ ଚଏସ୍ ସହିତ ମାଇନସ୍ ମାର୍କିଂ ବ୍ୟବସ୍ଥା ରହିଥିଲା । ଏହି ପ୍ରବେଶିକା ପରୀକ୍ଷାରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଢାଞ୍ଚାର ପ୍ରଶ୍ନପତ୍ର ଆସିଥିଲା । ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ଫଳରେ ରାଜ୍ୟର ବହୁ ମେଧାବୀ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିବେ ।

Get real time updates directly on you device, subscribe now.