fbpx

ରାଜ୍ୟରେ ଜାରୀ ରହିବ ମାଗଣା ଟିକା: ଡେଡ୍‌ଲାଇନ୍‌ ପରେ ବି ଦିଆଯିବ ବୁଷ୍ଟର ଡୋଜ୍

ଭୁବନେଶ୍ୱର: ରାଜ୍ୟରେ ବୁଷ୍ଟର ଡୋଜ ପାଇଁ ଡେଡଲାଇନ ସରିଥିଲେ ମଧ୍ୟ ମାଗଣା ଟୀକା ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି ଯେ ଜୁଲାଇ ୧୫ରୁ ଏହି ମାଗଣା ଟିକା କରଣ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିଲେ ମଧ୍ୟ ଏହି ବୁଷ୍ଟର ଟୀକାକରଣ ଆଗକୁ ଜାରୀ ରହିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ଦେଶନାମା ନଆସିବ ପର୍ୟ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ ।

ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ରାଜ୍ୟରେ ଏକ କୋଟି ୨୧ଲକ୍ଷ ୫୦ହଜାର ବୁଷ୍ଟର ଡୋଜର ଟୀକାକରଣ ସରିଛି । ଏହି ଟୀକାକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ୟ୍ୟ କରାଯାଇଥିଲା ତାର ୩୮ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି । ତେବେ ଓଡ଼ିଶାରେ ପ୍ରଥମ ପ୍ରର୍ଯାୟରେ ୯୭% ଓ ଦ୍ଵିତୀୟ ପ୍ରର୍ଯାୟରେ ୯୧ପ୍ରତିଶତ ଲୋକଙ୍କ ଟୀକାକାରଣ ସରିଛି । ଯେଉଁଥିପାଇଁ ସଂକ୍ରମଣ ସଂଖ୍ୟା ମଧ୍ୟ କମ ରହିଛି ।

ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ଲୋକଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏତତ୍ ବ୍ୟତୀତ ରାଜ୍ୟରେ ସଂକ୍ରମଣ କମିଥିବାରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହ ଏବେ ପ୍ରିକସନ ଡୋଜ କ୍ଷେତ୍ରରେକମିଥିବା ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ପ୍ରିକସନ ଡୋଜ ଦେବାରେ ଓଡିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି । ମହଜୁଦ ରହିଥିବା ୩.୫ ଲକ୍ଷ ଟୀକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.