fbpx

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ ସ୍କଲାରଶିପ ଯୋଜନା ବନ୍ଦ ହୋଇଗଲା: ନୋଟିସ୍ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରି-ମାଟ୍ରିକ ସ୍କଲାରଶିପକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ବଡ଼ ନୋଟିସ୍ ଆସିଛି । ଏଣିକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଆଉ ପ୍ରି-ମାଟ୍ରିକ ସ୍କଲାରଶିପ୍ ସୁବିଧା ମିଳିବ ନାହିଁ । ଏହି ସ୍କଲାରଶିପ ଯୋଜନାର ଫାଇଦା କେବଳ ନବମ ଓ ଦଶମ ଶ୍ରେଣୀର ପିଲାମାନେ ପାଇପାରିବେ । ପଛୁଆ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ପିଲାଙ୍କ ପାଇଁ କେନ୍ଦ୍ର ସରକାର ଏହି ନିୟମ ଜାରି କରିଛନ୍ତି । ତେବେ ଏହି ନୋଟିସ ପରେ ଏବେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି ।

ପୂର୍ବରୁ ପ୍ରି-ମାଟ୍ରିକ ସ୍କଲାରଶିପ ଯୋଜନାର ଫାଇଦା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ୧ମରୁ ୮ମ ଶ୍ରେଣୀର ପିଲାମାନେ ଉଠାଉଥିଲେ । ନୂଆ ନୋଟିସରେ କୁହାଯାଇଛି, ଶିକ୍ଷା ଅଧିକାର (ଆରଟିଆଇ), ଅଧିନିୟମ, ୨୦୦୯ ଅନୁଯାୟୀ ୧ମରୁ ୮ମ ଶ୍ରେଣୀର ପ୍ରତ୍ୟେକ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବାଧ୍ୟ । ଏପରି ସ୍ଥଳେ କେବଳ ୯ମ ଓ ଦଶମ ଶ୍ରେଣୀର ପିଲାଙ୍କୁ ହିଁ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳର ପ୍ରି-ମାଟ୍ରିକ ଛାତ୍ରବୃତ୍ତି ଯୋଜନା ପ୍ରଦାନ କରାଯିବ ।

ଏ ବାବଦରେ ଶିକ୍ଷାନୁଷ୍ଠାନ ନୋଡାଲ ଅଧିକାରୀ, ଜିଲ୍ଲା ନୋଡାଲ ଅଧିକାରୀ ଓ ରାଜ୍ୟ ନୋଡାଲ ଅଧିକାରୀଙ୍କୁ ଅବଗତ କରାଯାଇଛି । ସଂଖ୍ୟାଲଘୁ କାର୍ଯ୍ୟ ମନ୍ତ୍ରଣାଳୟର ପ୍ରି-ମାଟ୍ରିକ ଛାତ୍ରବୃତ୍ତି ଯୋଜନା ପାଇଁ କେବଳ ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ଆବେଦନକୁ ଗ୍ରହଣ କରିବାକୁ କୁହାଯାଇଛି । ଏହି ନିଷ୍ପତ୍ତି ପରେ ରାଜନୈତିକ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦଶନ୍ଧି ଧରି ଏସସି / ଏସଟି ପୃଷ୍ଠଭୂମିର ୧ମରୁ ୮ମ ଶ୍ରେଣୀର ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳୁଥିଲା । ମାତ୍ର ସରକାର ୨୦୨୨-୨୩ ଠାରୁ ଏହି ଛାତ୍ରବୃତ୍ତିକୁ ବନ୍ଦ କରିଦେଇଛନ୍ତି । ଏହା ଗରିବଙ୍କ ପାଇଁ ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.