fbpx

ଜୁନ୍ ୧ରୁ ଆଇସିସିର ନୂଆ କ୍ରିକେଟ ନିୟମ : ଏଣିକି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆସନ୍ତା ଜୁନ୍ ୧ରୁ କାର୍ଯ୍ୟକାରୀ କରିବାକୁ ଯାଉଛି ନୂଆ ନିୟମ । ମ୍ୟାଚ୍ ଅବସରରେ ଖେଳ ଓ ଖେଳାଳିଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆଇସିସି ନୂଆ ନିୟମ ପ୍ରଣୟନ ପାଇଁ ନିଷ୍ପତ୍ତି ନେଇଛି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି ପୁରୁଷ କ୍ରିକେଟ୍ କମିଟିର ସୁପାରିସ ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଏହାକୁ ସବୁଜ ସଙ୍କେତ ଦେଇଛି ।

ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଜୁନ୍ ପହିଲାରୁ ଲର୍ଡସରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପରେ ଏହି ସୁପାରିସ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ହେଲମେଟର ସୁରକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଅଧୀନରେ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହେବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ପୁଣି ଦ୍ରୁତ ବୋଲିଂ ବିପକ୍ଷରେ ଷ୍ଟମ୍ପ ନିକଟରେ ୱିକେଟ୍ କିପିଂ କରିବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ଏହାଛଡ଼ା ୱିକେଟ୍ ସମ୍ମୁଖରେ ଫିଲ୍ଡରମାନେ ବ୍ୟାଟ୍ସମ୍ୟାନଙ୍କ ନିକଟରେ ଫିଲ୍ଡିଂ କରୁଥିବା ବେଳେ ସେମାନଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ।

ଫ୍ରି-ହିଟ୍ ରେ ରନ୍: ଯେତେବେଳେ ବଲ୍ ଷ୍ଟମ୍ପ୍ରେ ମାଡ଼ିବ, ଫ୍ରି-ହିଟ୍ ରେ ନିଆଯାଇଥିବା ଯେକୌଣସି ରନ୍ ସ୍କୋର ହୋଇଥିବା ରନ୍ ସହ ସମାନ ବୋଲି ଗଣନା କରାଯିବ । ଏହା ଫ୍ରି-ହିଟ୍ ରୁ ହୋଇଥିବା ବାକି ରନ୍ ସହ ସମାନ ବୋଲି ବିବେଚନା କରାଯିବ । ଗତ କିଛି ମାସ ହେଲା ଅମ୍ପାୟାରଙ୍କ ସଫ୍ଟ ସିଗନାଲ ଖେଳାଳି, ପ୍ରଶଂସକ ଓ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୁଖ୍ୟ ଅମ୍ପାୟାର ଯେଉଁ ସଂକେତ ମାଧ୍ୟମରେ ୩ୟ ଅମ୍ପାୟାରଙ୍କ ନିକଟକୁ ନିଷ୍ପତ୍ତି ପଠାନ୍ତି ତାହାକୁ ସଫ୍ଟ ସିଗନାଲ କହନ୍ତି । କିନ୍ତୁ ଏବେ ଫିଲ୍ଡ ଅମ୍ପାୟାରମାନଙ୍କୁ ନିଜ ନିଷ୍ପତ୍ତିକୁ ତୃତୀୟ ଅମ୍ପାୟାରଙ୍କ ନିକଟକୁ ପଠାଇବା ପାଇଁ ସଫ୍ଟ ସିଗନାଲର ଆବଶ୍ୟକତା ପଡ଼ିବ ନାହିଁ । ଏବେ ଜୁନ୍ ପହିଲାରୁ ଫିଲ୍ଡ ଅମ୍ପାୟାରମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଟିଭି ଅମ୍ପାୟାରଙ୍କ ସହ ପରାମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.