fbpx

Year End 2022: ଚଳିତ ବର୍ଷ କେଉଁ ପାର୍ଟିର ପ୍ରଦର୍ଶନ କିପରି ରହିଥିଲା, ଜାଣନ୍ତୁ ସମସ୍ତ ନିର୍ବାଚନର ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ-୨୦୨୨ ଆଉ ମାତ୍ର ତିନି ଦିନ ପରେ ବିଦାୟ ନେବ । ତେବେ ଏହି ବର୍ଷ ଦେଶରେ ବିଭିନ୍ନ ରାଜନୈତିକ ଦଳମାନେ ଏକାଧିକ ନିର୍ବାଚନରେ ଅଂଶଗ୍ରହଣ କରି ସେମାନଙ୍କର ପରାକାଷ୍ଠା ଦେଖାଇଥିଲେ । ଦେଶକୁ ନୂଆ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ମିଳିବା ସହିତ ପାଞ୍ଚଟି ଲୋକସଭା ଉପନିର୍ବାଚନ, ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ, ୨୮ଟି ବିଧାନସଭା ଉପନିର୍ବାଚନ, ଆଠଟି ରାଜ୍ୟରେ ମ୍ୟୁନିସିପାଲ ନିର୍ବାଚନ ହୋଇଥିଲା ।

ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର ପ୍ରାର୍ଥୀ ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ଦ୍ରୌପଦୀଙ୍କୁ ୬୪.୦୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିପକ୍ଷ ପ୍ରାର୍ଥୀ ଯଶୱନ୍ତ ସିଂହ୍ନାଙ୍କୁ ୩୫.୯୭ ପ୍ରତିଶତ ଭୋଟ ମିଳିଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଜଗଦୀପ ଧନଖଡ଼ ବିପକ୍ଷ କଂଗ୍ରେସ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ । ଜଗଦୀପଙ୍କୁ ୭୪.୩୭ ପ୍ରତିଶତ ଓା ମାର୍ଗାରେଟଙ୍କୁ ୨୫.୬୩ ପ୍ରତିଶତ ଭୋଟ ମିଳିଥିଲା ।

ଚଳିତ ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର, ହିମାଚଳ ପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହୋଇଥିଲା । ସେଥିମଧ୍ୟରୁ ବିଜେପି ପାଞ୍ଚଟି ରାଜ୍ୟରେ ବିଜୟ ବାନା ଉଡ଼ାଇଥିବା ବେଳେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ) ଗୋଟିଏ ଲେଖାଏଁ ରାଜ୍ୟରେ ସରକାର ଗଠନ କରିଥିଲେ । ୟୁପିରେ ଏନଡିଏ ୨୭୩ଟି ସିଟରେ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା । ସମାଜବାଦୀ ପାର୍ଟି ମେଣ୍ଟକୁ ୧୨୫ଟି, କଂଗ୍ରେସକୁ ୨ଟି ଓ ଜନସତ୍ତା ଦଳକୁ ୨ଟି ଆସନ ମିଳିଥିଲା ।

ଉତ୍ତରାଖଣ୍ଡର ମୋଟ ୭୦ଟି ଆସନ ମଧ୍ୟରୁ ବିଜେପି ୪୭ଟିରେ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିବା ବେଳେ କଂଗ୍ରେସ ମାତ୍ର ୧୯ଟି ସିଟ ଅକ୍ତିଆର କରିଥିଲା । ପଞ୍ଜାବର ୧୧୭ଟି ଆସନ ମଧ୍ୟରୁ ଆପ ୯୨ଟି ଆସନରେ ଜିତି ସରକାର ଗଠନ କରିଥିବା ବେଳେ କଂଗ୍ରେସ ୧୮ଟି ଓ ଶିରୋମଣୀ ଅକାଳି ଦଳ ୩ଟି ଆସନରେ ବିଜୟ ଲାଭ କରିଥିଲେ । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ୨୦ଟିରେ ଜିତି ସରକାର ଗଠନ କରିଥିବା ବେଳେ କଂଗ୍ରେସ ୧୧ଟି ଓ ଆପ ୨ଟି ଆସନ ପାଇଥିଲେ ।

୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୫୬ଟି ସିଟରେ ଜିତି କ୍ରମାଗତ ୫ମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିଲା । ଅନ୍ୟପଟେ କଂଗ୍ରେସର ସିଟ୍ ସଂଖ୍ୟା ୭୭ରୁ ସିଧାସଳଖ ୧୭କୁ ଖସି ଆସିଥିଲା । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୬୮ଟି ଆସନରୁ କଂଗ୍ରେସ ୪୦ଟି ସିଟରେ ଜିତି ସରକାର ଗଠନ କରିଥିବା ବେଳେ ବିଜେପି ୨୫ଟିରେ ଜିତିଥିଲା । ମଣିପୁର ବିଧାନସଭା ନିର୍ବାଚନରେ ୬୦ଟି ସିଟରୁ ୩୨ଟିରେ ଜିତି ବିଜେପି ସରକାର ଗଠନ କରିଥିଲା । ଏନସିପିକୁ ୭ଟି ଓ ଜେଡିୟୁକୁ ୬ଟି ଆସନ ମିଳିଥିଲା ।

ଚଳିତ ବର୍ଷ ହୋଇଥିବା ୧୬ଟି ରାଜ୍ୟର ୨୮ଟି ବିଧାନସଭା ଉପନିର୍ବାଚନରେ ବିଜେପି ୧୦ଟି, କଂଗ୍ରେସ ୭ଟି, ୱାଇଏସଆର କଂଗ୍ରେସ ୧ଟି, ଆରଜେଡି ୨ଟି, ଆପ ୧ଟି, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ୧ଟି, ବିଜେଡି ୨ଟି, ଭାରତ ରାଷ୍ଟ୍ର ସମିତି ୧ଟି, ଆରଏଲଡି ୧ଟି, ଟିଏମସି ୧ଟି ସିଟରେ ବିଜୟୀ ହୋଇଥିଲେ । ଆଠଟି ରାଜ୍ୟରେ ମ୍ୟୁନିସିପାଲ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆସାମରେ ବିଜେପି, ଦିଲ୍ଲୀରେ ଆପ, କର୍ଣ୍ଣାଟକରେ ବିଜେପି, ମଧ୍ୟପ୍ରଦେଶରେ ବିଜେପି, ମିଜୋରାମରେ କଂଗ୍ରେସ, ଓଡ଼ିଶାରେ ବିଜେଡି, ତାମିଲନାଡ଼ୁରେ ଡିଏମକେ, ପଶ୍ଚିମବଙ୍ଗରେ ଟିଏମସି ବିଜୟ ହାସଲ କରିଥିଲେ ।

Get real time updates directly on you device, subscribe now.