fbpx

ଗାବ୍ରିଏଲ ଅଟ୍ଟଲ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ: ମାତ୍ର ୩୪ ବର୍ଷରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ଗାବ୍ରିଏଲ ଅଟ୍ଟଲ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇ ଗାବ୍ରିଏଲ ଇତିହାସ ରଚିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରନ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଗାବ୍ରିଏଲଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତା ଗ୍ରୀଷ୍ମ ସିଜିନରେ ହେବାକୁ ଥିବା ୟୁରୋପୀୟ ସଂଘ ନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅଟ୍ଟଲ ବର୍ତ୍ତମାନ ଫ୍ରାନ୍ସର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମାତ୍ର ୩୪ ବର୍ଷ ବୟସରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ପଦରୁ ୬୨ ବର୍ଷୀୟା ଏଲିଜାବେଥ ବୋର୍ଣ୍ଣଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଗାବ୍ରିଏଲଙ୍କ ନାମ ସବୁଠାରୁ ଆଗରେ ରହିଥିଲା । ଗାବ୍ରିଏଲ ପ୍ରଧାନମନ୍ତ୍ରୀ ପଦ ପାଇଁ ରାଷ୍ଟ୍ରପତି ମାକ୍ରନଙ୍କ ପ୍ରଥମ ପସନ୍ଦ ଥିଲେ ବୋଲି କୁହାଯାଉଥିଲେ ।

ଆଗକୁ ୟୁରୋପୀୟ ସଂଘ ନିର୍ବାଚନ ଆସୁଥିବାରୁ ଗାବ୍ରିଏଲଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା କରାଯାଇଥିବାରୁ ଆଗକୁ ସେ ଜଣେ ଦକ୍ଷ ରାଜନେତା ଭାବେ ଉଭା ହେବାର ସମ୍ଭାବନା ରହିଛି । ୧୯୮୯ ମସିହାରେ ଜନ୍ମିତ ଏହି ଯୁବ ରାଜନେତା ଏବେ ଫ୍ରାନ୍ସର ଶିକ୍ଷା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱରେ ରହିଛନ୍ତି । ଏହାପୂର୍ବରୁ ପାଖାପାଖି ୨ ବର୍ଷ ଧରି ସେ ସରକାରଙ୍କ ମୁଖପାତ୍ର ମଧ୍ୟ ରହିଥିଲେ । ମାତ୍ର ୩୨ ବର୍ଷ ବୟସରେ ସେ ମନ୍ତ୍ରୀ ହୋଇଥିଲେ । ତାଙ୍କର ପିତା ୟହୁଦୀ ବଂଶଜ ହୋଇଥିବା ବେଳେ ମାଆ ଗ୍ରୀକ-ରୁଷୀୟ ବଂଶଜ ଥିଲେ । ପିତା ଜଣେ ଓକିଲ ଓ ନିର୍ମାତା ହୋଇଥିବା ବେଳେ ମାଆ ଫିଲ୍ମ ପ୍ରଯୋଜନା କମ୍ପାନୀରେ କାର୍ଯ୍ୟ କରୁଥିଲେ ।

Get real time updates directly on you device, subscribe now.