ରୋହିତ-କୋହଲିଙ୍କ ବିନା ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍, ବଡ଼ କଥା କହିଦେଲେ କୋଚ୍ ଗୌତମ ଗମ୍ଭୀର

ଜୁନ ମାସରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆ-ଇଂଲଣ୍ଡ ପାଞ୍ଚ ଟିକିଆ ଟେଷ୍ଟ ମ୍ୟାଚ୍।

ନୂଆଦିଲ୍ଲୀ:  ଜୁନ୍ ମାସରେ ଇଂଲଣ୍ଡରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଶନିବାର ମୁମ୍ବାଇରେ ଟିମ୍ ଇଣ୍ଡିଆ ଘୋଷଣା କରାଯିବା ନେଇ ଆଲୋଚନା ହେଉଛି। ଆଉ ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟରୁ ଅବସର ଘୋଷଣା କରିସାରିଛନ୍ତି।

ତେଣୁ ଏବେ ଇଣ୍ଡିଆ ଟିମ୍ ପାଇଁ ଏକ ଚ୍ୟାଲେଞ୍ଚର ସମୟ। କାରଣ ରୋହିତ ଏବଂ କୋହଲି ଦଳ ପାଇଁ ଏକ ମୂଳଦୁଆ ସଦୃଶ ଥିଲେ। ଆଉ ସେମାନଙ୍କ ଅବସର ପରେ ଦଳକୁ ତାଙ୍କ ବିକଳ୍ପ ମିଳିବା କଷ୍ଟକର ହେବ। ଏନେଇ ଏକ ବଡ଼ କଥା କହିଛନ୍ତି ଭାରତୀୟ ଟିମର କୋଚ୍ ଗୌତମ ଗମ୍ଭୀର।

କୋହଲି-ରୋହିତଙ୍କ ଅନୁପସ୍ଥିତି:  ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ୱୀକାର କରିଛନ୍ତି ଯେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିକୁ ମୁକାବିଲା କରିବା ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। କିନ୍ତୁ ଟେଷ୍ଟରୁ ସେମାନଙ୍କର ଅବସର ଅନ୍ୟମାନଙ୍କୁ ଦାୟିତ୍ୱ ନେବା ପାଇଁ ସୁଯୋଗ ଦେବ ବୋଲି କହିଛନ୍ତି ଗମ୍ଭୀର।

ଏହି ମାସର ଆରମ୍ଭରେ କୋହଲି ଏବଂ ରୋହିତ ପରସ୍ପରଠାରୁ ଗୋଟିଏ ସପ୍ତାହ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଆସନ୍ତା ମାସରେ ଇଂଲଣ୍ଡରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ପ୍ରମୁଖ ସିରିଜ ପୂର୍ବରୁ ଏହି ଘୋଷଣା କରାଯାଇଛି। ଯାହା ପାଇଁ ଶନିବାର ମୁମ୍ବାଇରେ ଇଣ୍ଡିଆର ନୂଆ ଟିମ୍ ଘୋଷଣା ହେବାର ଆଶା କରାଯାଉଛି।

ଗମ୍ଭୀରଙ୍କ ପ୍ରତିକ୍ରିୟା:  ଗୌତମ ଗମ୍ଭୀର ଏକ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଭାବୁଛି ଜଣେ କ୍ରିକେଟର କେବେ ଖେଳିବା ଆରମ୍ଭ କରିବ ଏବଂ କେବେ ଶେଷ କରିବ ତାହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି।

ଏଥିରେ କଥା କହିବାର ଆଉ କାହାର ଅଧିକାର ନାହିଁ। ସେ କୋଚ୍ ହୁଅନ୍ତୁ, ଚୟନକର୍ତ୍ତା ହୁଅନ୍ତୁ, କିମ୍ବା ଏହି ଦେଶର ଯେକୌଣସି ବ୍ୟକ୍ତି ହୁଅନ୍ତୁ। କାହାର ତାଙ୍କୁ କେବେ ଅବସର ନେବାକୁ ପଡିବ ଏବଂ କେବେ ନୁହେଁ ତାହା କହିବାର ଅଧିକାର ନାହିଁ।

ଆଉ ରୋହିତ-ବିରାଟଙ୍କ ଅବସର ଭାରତକୁ କେବଳ ଜଣେ ନୂତନ ଟେଷ୍ଟ ଅଧିନାୟକର ଆବଶ୍ୟକତା ପଡ଼ିବ ନାହିଁ ବରଂ ଦୁଇ ଜଣ ଅଭିଜ୍ଞ ଖେଳାଳିଙ୍କର ଆବଶ୍ୟକତା ପଡିବ। ଗମ୍ଭୀର ସ୍ୱୀକାର କରିଛନ୍ତି ଯେ ନେତୃତ୍ୱ ଏବଂ ଅଭିଜ୍ଞତାର ଶୂନ୍ୟସ୍ଥାନ ପୂରଣ କରିବା ସହଜ ହେବ ନାହିଁ।