fbpx

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ମାସ ଅନ୍ତିମ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ । ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଏନେଇ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗ ନିର୍ବାଚନ ମଣ୍ଡଳୀର ସୀମା ସମୀକ୍ଷା କରିବେ ଓ ଆସନ୍ତା ୨୭ ତାରିଖରେ ତା’ର ପ୍ରାଥମିକ ତାଲିକା ଜାରି କରିବେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ପ୍ରାଥମିକ ତାଲିକାର ଅଭିଯୋଗ ଶୁଣିବା ପରେ ନଭେମ୍ବର ୩୦ ତାରିଖରେ ଅନ୍ତିମ ତାଲିକା ଜାରି କରାଯିବ । ଏହାପରେ ୫୪ ଦିନ ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ । ତା’ପରେ ଜାନୁଆରୀ ମାସ ଶେଷ ସପ୍ତାହରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଗତ ଅଗଷ୍ଟ ମାସ ୯ ତାରିଖରେ ପାକିସ୍ତାନ ସଂସଦ ଭଙ୍ଗ କରାଯାଇଥିଲା । ସଂସଦକୁ ଭଙ୍ଗ କରିବା ପାଇଁ ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ପରାମର୍ଶ ଦେଇଥିଲେ ।

ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ଓ ରାଜନୈତିକ ସଙ୍କଟ ମଧ୍ୟରେ ନିର୍ବାଚନ ପାଇଁ ମଞ୍ଚ ପ୍ରସ୍ତୁତ କରାଯିବ ବୋଲି ରାଷ୍ଟ୍ରପତି ଅଫିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଅଗଷ୍ଟ ୧୨ରେ ଦେଶର ସଂସଦର ପାଞ୍ଚବର୍ଷିଆ କାର୍ଯ୍ୟକାଳ ସମାପ୍ତ ହେବାକୁ ଯ।।ଉଥିବା ବେଳେ ତା’ର ୩ ଦିନ ପୂର୍ବରୁ ସଂସଦକୁ ଭଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥିଲେ । ପରେ ଦେଶର କେୟାରଟେକର ପ୍ରଧାନମନ୍ତ୍ରୀ ଭାବେ ଅନୱାର ଉଲ ହକ କକରଙ୍କୁ ଚୟନ କରାଯାଇଥିଲା । ଶେଷଥର ପାଇଁ ୨୦୧୮ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଇମ୍ରାନ ଖାନ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ମାତ୍ର ଅନାସ୍ଥା ପ୍ରସ୍ତାବ କାରଣରୁ ଗତବର୍ଷ ସେ ପଦରୁ ହଟିଥିଲେ । ତୋଷଖାନା ମାମଲାରେ ଇମ୍ରାନ ଏବେ ଜେଲରେ ରହିଥିବା ବେଳେ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି ।

Get real time updates directly on you device, subscribe now.