fbpx

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି: ୨୧ ବର୍ଷ ବୟସ ପୂର୍ବରୁ ଝିଅଙ୍କ ବିବାହ ମନା

ନୂଆଦିଲ୍ଲୀ : ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବଦଳିବାକୁ ଯାଉଛି । ୨୧ ବର୍ଷ ବୟସ ପୂର୍ବରୁ ଝିଅମାନେ ବିବାହ କରିପାରିବେ ନାହିଁ । କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଏହାପରେ ଏହା ସଂସଦର ଉଭୟ ଗୃହ ଯଥା ଲୋକସଭା ଓ ରାଜ୍ୟସଭାରେ ପାରିତ କରିବାକୁ ଉପସ୍ଥାପନ କରାଯିବ । ଏହି ପ୍ରସ୍ତାବ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହୋଇଯିବ । ଏହାପରେ ଝିଅଙ୍କ ବିବାହ ୨୧ ବର୍ଷ ପୂର୍ବରୁ ହେବା ବେଆଇନ୍‌ ବୋଲି ଧରାଯିବ । ଏହା ସମସ୍ତ ଧର୍ମ ଓ ବର୍ଗ ପାଇଁ ଲାଗୁ ହେବ । କ୍ୟାବିନେଟର ଏହି ନିଷ୍ପତି ପରେ ପୁଅ ଏବଂ ଝିଅଙ୍କ ବିବାହ ବୟସ ୨୧ ହେବାକୁ ଯାଉଛି । ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ଦୀର୍ଘ ଦିନରୁ ଦାବି ହେଉଥିଲା ।

୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଝିଅଙ୍କ ବିବାହ ବୟସ ସୀମା ବଢାଇବା ନେଇ ଇଙ୍ଗିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଝିଅ ଓ ଭଉଣୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର ସବୁବେଳେ ଯତ୍ନବାନ ରହିଛନ୍ତି । ଝିଅମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବାକୁ ହେଲେ ସେମାନଙ୍କ ବିବାହ ଠିକ୍‌ ବୟସରେ ହେବା ଦରକାର । ଏହାପରେ ୧୦ ଜଣିଆ ଟାସ୍କ ଫୋର୍ସ ଗଠିତ ହୋଇଥିଲା । ଏହି ଟିମ୍‌ ସ୍କୁଲ-କଲେଜ, ଆଇନ ବିଶେଷଜ୍ଞ, ନାଗରିକ ସଙ୍ଗଠନ ଗୁଡିକର ପରାମର୍ଶ ନେଇଥିଲେ । ଏହାପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ଏହି ଟିମ୍‌ । ବର୍ତ୍ତମାନ ଦେଶରେ ପୁଅମାନଙ୍କ ବିବାହ ବୟସ ସର୍ବନିମ୍ନ ୨୧ ବର୍ଷ ଥିବା ବେଳେ ଝିଅଙ୍କ କ୍ଷେତ୍ରରେ ଏହା ୧୮ ବର୍ଷ ରହିଛି । ତେଣୁ କେନ୍ଦ୍ର ସରକାର ପୁଅଙ୍କ ଭଳି ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମାକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିବାହ ବୟସରେ ପରିବର୍ତ୍ତନ ପାଇଁ ମୁଖ୍ୟତଃ ବାଲ୍ୟ ବିବାହ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଓ ହିନ୍ଦୁ ବିବାହ ଆଇନରେ ସଂଶୋଧନ ହେବ ।

ଏଥିପାଇଁ ଟାସ୍କଫୋର୍ସ କେନ୍ଦ୍ର ସରକାରଙ୍କ ପାଖରେ ସୁପାରିଶ କରିଛି । ଏହି ଟାସ୍କ ଫୋର୍ସରେ ବିଶେଷଜ୍ଞ ଡା ଭିକେ ପଲ୍‌, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ । ଅନ୍ତିମ ଥର ପାଇଁ ୧୯୭୮ରେ ବିବାହ ଆଇନରେ ପରିବର୍ତ୍ତନ ହୋଇଥିଲା । ଏହା ପୂର୍ବରୁ ଶାରଦା ଆକ୍ଟ ୧୯୨୯ରେ ପରିବର୍ତନ ହୋଇ ବିବାହ ବୟସ ସୀମା ୧୫ରୁ ୧୮ ହୋଇଥିଲା । ୟୁନିସେଫର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ଝିଅ ୧୮ ବର୍ଷରୁ କମ୍‌ ବୟସରେ ବିବାହ ହେଉଛି । କ୍ୟାବିନେଟ୍‌ର ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଭୋଟର ଆଇଡି କାର୍ଡ ସହ ସଂଯୋଗ ହେବ ଆଧାର କାର୍ଡ । ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏପରି ସୁଧାର ଆଣିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ଆୟୋଗର ସୁପାରିସ କ୍ରମେ ସରକାର ଏପରି ବଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.