fbpx

୩ ଦିନରେ ଭରି ପିଛା ୫ ହଜାର ଟଙ୍କା କମିଲା ସୁନା ଦର; ରୁପା ଦରରେ ବି ଆସିଲା ସୁଧାର

ନୂଆଦିଲ୍ଲୀ: ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ହେବା ପରଠାରୁ ଉଭୟ ଧାତୁର ମୂଲ୍ୟରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି । ଗୁରୁବାର, ଜୁଲାଇ ୨୫ ରେ ବୁଲିଅନ୍ ବଜାରରେ ସୁନା ମୂଲ୍ୟରେ ୧୦୦୦ ଟଙ୍କାର ହ୍ରାସ ଘଟିଥିବା ବେଳେ ଏହା ୧୦ ଗ୍ରାମ ପିଛା ୭୦,୬୫୦ ଟଙ୍କାକୁ ହ୍ରାସ ପାଇଛି । ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଘଟି କିଲୋଗ୍ରାମ ପିଛା ୩୫୦୦ ଟଙ୍କା ହ୍ରାସ ପାଇ ୮୪,୦୦୦ ଟଙ୍କାରେ ପହଞ୍ଚିଛି ।

ଜୁଲାଇ ୨୩, ୨୦୨୪ରେ ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଉପରେ ସୀମା ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଥିଲେ। ତିନି ଦିନ ମଧ୍ୟରେ ୧୦ ଗ୍ରାମ ସୁନା ମୂଲ୍ୟରେ ୫୦୦୦ ଟଙ୍କାର ହ୍ରାସ ଘଟିଛି । ଜୁଲାଇ ୨୨ ରେ ସୁନା ୧୦ ଗ୍ରାମ ପିଛା ୭୫,୬୫୦ ଟଙ୍କାରେ ବନ୍ଦ ହୋଇଥିଲା । ତିନି ଦିନ ମଧ୍ୟରେ ସୁନା ଦର ରେ ୬.୬୦ ପ୍ରତିଶତ ହ୍ରାସ ଘଟିଛି । ରୁପା ବିଷୟରେ କହିବାକୁ ଗଲେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୧,୦୦୦ ଟଙ୍କାରୁ ହ୍ରାସ ପାଇ ୮୪,୦୦୦ ଟଙ୍କାରେ ପହଞ୍ଚିଛି ।

ଅର୍ଥାତ୍ ତିନି ଦିନ ରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୭୦୦୦ ଟଙ୍କା ବା ୭.୭୦ ପ୍ରତିଶତ ହ୍ରାସ ପାଇଛି । କଷ୍ଟମ ଡ୍ୟୁଟି ହ୍ରାସ ପରେ ସୁନା ଓ ରୁପା ଦର ସମାନ ଢଙ୍ଗରେ ହ୍ରାସ ପାଇବାରେ ଲାଗିଥିଲା, କିନ୍ତୁ ଏବେ ବିଦେଶୀ ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇଛି, ଯାହା ଦ୍ୱିଗୁଣିତ ଝଟକା ସୃଷ୍ଟି କରିଛି । ଅନ୍ତର୍ଜାତୀୟ ବଜାର କୋମେକ୍ସରେ ସୁନା ଆଉନ୍ସ ପିଛା ୪୨.୨୦ ଡଲାର ହ୍ରାସ ପାଇ ଆଉନ୍ସ ପିଛା ୨,୪୨୧.୮୦ ଡଲାରରେ କାରବାର କରୁଛି । ରୂପା ଆଉନ୍ସ ପିଛା ୨୮.୦୪ ଡଲାରରେ ବନ୍ଦ ହୋଇଛି ।

 

Get real time updates directly on you device, subscribe now.