fbpx

ବ୍ରହ୍ମପୁରକୁ ରାଜ୍ୟ ବାହାରୁ ଆସୁଛି କୋଟି କୋଟି ଟଙ୍କାର ଅଳଙ୍କାର, ଟିକସ ଫାଙ୍କି ମାଲାମାଲା ହେଉଛନ୍ତି ଅସାଧୁ ବେପାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଏସଟି ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ କାବୁ କରିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ । ଏଥିସହିତ ଗାଡ଼ି ଚାଳକଙ୍କଠାରୁ ୩ କେଜି ସୁନା ଓ ୧୫୦ କେଜି ରୁପା ଜବତ ହୋଇଛି । ଏହି ଅଳଙ୍କାରର ଆନୁମାନିକ ମୂଲ୍ୟ ପାଖାପାଖି ଅଢ଼େଇ କୋଟି ଟଙ୍କା ହେବ । ତାମିଲନାଡ଼ୁରୁ ବ୍ରହ୍ମପୁରର ପ୍ରେମ ନଗର ଅଞ୍ଚଳକୁ ଏହି ସୁନା, ରୁପା ଅଳଙ୍କାର ଚାଲାଣ କରାଯାଉଥିଲା । ସୋରଳ ଜଙ୍କସନ ନିକଟରୁ ଅଳଙ୍କାର ନେଇ ଯାଉଥିବା କାରକୁ ଠାବ କରିଛି ପୋଲିସ ।

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ପୋଲିସ ସଜାଗ ହୋଇଯାଇଥିଲା । ଅସାଧୁ ବେପାରୀମାନେ ଏହି ଅଳଙ୍କାରକୁ କାରରେ ଲୁଚାଇ ନେଇଯାଇଥିବା ବେଳେ ଧରାପଡ଼ିଥିଲେ । ପୂର୍ବରୁ ପୋଲିସ ଓ ଅବକାରୀ ବିଭାଗ ଶହ ଶହ କିଲୋ ସୁନା ଓ ରୂପା ସହ କୋଟି କୋଟି ଟଙ୍କା ଜବତ କରିଥିଲେ । ତେବେ ଦୈନିକ ବ୍ରହ୍ମପୁରର ସୁନା ବ୍ୟବସାୟୀଙ୍କ ନିକଟକୁ ଏଭଳି ଅଳଙ୍କାର ଆସୁଥିବା ଜଣାପଡ଼ିଛି । ଧରାପଡ଼ିଲେ ଟିକସ ଦେଉଥିବା ବେଳେ ଧରା ନପଡ଼ିଲେ ସୁନା ବ୍ୟବସାୟୀମାନେ ରାତାରାତି ମାଲାମାଲ ହୋଇଯାଉଥିବା ଦେଖାଯାଉଛି ।

ତେବେ ଏଠାରେ କହିବା କଥା, ବେଆଇନ ଭାବେ ଏତେ ଅଧିକ ପରିମାଣର ସୁନା, ରୁପା ଅଳଙ୍କାର ଚାଲାଣ ପଛରେ ଏକ ଗ୍ୟାଙ୍ଗ ରହିଥିବା ଅନୁମାନ କରାଯାଉଛି । ପୋଲିସ ପ୍ରଶାସନ ଏନେଇ କିଛି ସ୍ୱତନ୍ତ୍ର ପଦକ୍ଷେପ ନେଲେ ଏହି ଟିକସ ଖିଲାପକାରୀ ଅଳଙ୍କାର ବ୍ୟବସାୟୀମାନେ ଆଉ ଖସି ପାରନ୍ତେ ନାହିଁ । ମୋଟା ଅଙ୍କର ମୁନାଫା ମିଳୁଥିବାରୁ ଏହି ଦଲାଲମାନେ ପୋଲିସକୁ ଖାତିର କରୁନାହାନ୍ତି । ଉପଯୁକ୍ତ ପଦକ୍ଷେପ ନେଲେ ଏହି ଅସାଧୁ ବେପାରୀମାନେ ସାବାଡ଼ ହୋଇପାରନ୍ତେି ।

Get real time updates directly on you device, subscribe now.