fbpx

ଆଜିଠୁ ଆରମ୍ଭ ହେବ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପଦ ଯାତ୍ରା, କହିଲେ- କ୍ଷମତା ପରିବର୍ତ୍ତନ ନୁହେଁ ସୁସ୍ଥ ସମାଜ ଦରକାର

ପାଟନା: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିହାରରେ ଜନ ସୁରାଜ ପଦଯାତ୍ରାର ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଶାନ୍ତଙ୍କ ଯାତ୍ରା ପାଟନାରୁ ମହାତ୍ମା ଗାନ୍ଧୀଙ୍କ କର୍ମଭୂମି ପଶ୍ଚିମି ଚମ୍ପାଚରଣର ଭିତିହରଭା ଅଭିମୁଖେ ବାହାରି ସାରିଛି। ଏହି ସମୟରେ ପ୍ରଶାନ୍ତ କିଶୋର ୩୫୦୦ କିଲୋମିଟର ପଦଯାତ୍ରା କରିବେ। ଏହା ୧୫ ମାସ ପର‌୍ୟ୍ୟନ୍ତ ଚାଲିବ। ୩୫୦୦ କିଲୋମିଟର ଜନ ସୁରାଜ ପଦଯାତ୍ରାର ଉଦ୍ଦେଶ୍ୟ ନୂତନ ବିହାରର ମୂଳଦୁଆ ପକାଇବା। ତୃଣମୂଳସ୍ତରରେ ଲୋକଙ୍କ ସହ ଆଲୋଚନା ଜରିଆରେ ବେରୋଜଗାରି, ପଳାୟନ, କୃଷି, ଶିକ୍ଷା ଏବଂ ସ୍ଵାସ୍ଥ୍ୟ ପରି ପ୍ରସଙ୍ଗ ଉପରେ ୧୫ ବର୍ଷ ପାଇଁ ପଞ୍ଚାୟତସ୍ତରରେ ବିହାରର ବିକାଶର ଯୋଜନା ପ୍ରସ୍ତୁତ କରିବା ହିଁ ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।

ଜନସୁରାଜ ସହ ଜଡିତ ପୂର୍ବତନ ଆଇପିଏସ ଅଧିକାରୀ ଏସକେ ମିଶ୍ର ଶନିବାର କହିଛନ୍ତି, ପ୍ରଶାନ୍ତ କିଶୋର ଏକ ସକରାତ୍ମକ ଚିନ୍ତାଧାରା ଏବଂ ବ୍ୟବସ୍ଥାକୁ ନେଇ ପଦଯାତ୍ରା ଆରମ୍ଭ କରୁଛନ୍ତି। ତାଙ୍କ ଉଦ୍ଦେଶ୍ୟ କ୍ଷମତା ପରିବର୍ତ୍ତନ ନୁହେଁ ବରଂ ଏମିତି ବ୍ୟବସ୍ଥା ତିଆରି ହେଉ, ଯେଉଁଥିରେ ସୁସ୍ଥ ସମାଜର ନିର୍ମାଣ ହୋଇ ପାରିବ। ପ୍ରଶାନ୍ତ କିଶୋର ଉନ୍ନତ ଚିନ୍ତାଧାରା ଲୋକଙ୍କ ସନ୍ଧାନ କରି ସେମାନଙ୍କୁ ଏହି ଦିଗରେ ଉତ୍ସାହିତ କରିବେ। ଯଦ୍ଵାରା ସେମାନେ ବିହାରକୁ ଉତ୍ତମ ରାଜ୍ୟ ଗଠନରେ ସାହାଯ୍ୟ କରି ପାରିବେ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଶାନ୍ତ କିଶୋର ଭିତିହରଭା ଗାନ୍ଧୀ ଆଶ୍ରମ ପହଞ୍ଚି ସର୍ବପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତୀମାରେ ମାଲାର୍ପଣ କରିବେ। ଏହାପରେ ଐତିହାସିକ ଗାନ୍ଧୀ ଆଶ୍ରମ ସମ୍ମୁଖରେ ସ୍ଵାଧୀନତା ସଂଗ୍ରାମୀଙ୍କ ପରିଜନଙ୍କୁ ସମ୍ମାନିତ କରିବେ। ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ପ୍ରଶାନ୍ତ ସମ୍ବୋଧିତ କରିବେ।

ଜନ ସୁରାଜ ପଦଯାତ୍ରା ପୂର୍ବରୁ ପ୍ରଶାନ୍ତ କିଶୋର ସନ୍ଦେଶ ଜାରି କରି କହିଥିଲେ ଯେ, ବିହାର ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ସବୁଠୁ ପଛୁଆ ରାଜ୍ୟ ହୋଇ ରହି ଯାଇଛି। ଗରିବୀ, ଅଶିକ୍ଷା, ବେରୋଜଗାରୀ ଏବଂ ଦୁର୍ନୀତି କାରଣରୁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି। ପଦଯାତ୍ରାର ଉଦ୍ଦେଶ୍ୟ ବିଷୟରେ ସେ କହିଛନ୍ତି, ବିହାରବାସୀଙ୍କୁ ତୃଣମୂଳସ୍ତରରେ ସାହାଯ୍ୟ କରିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରାଯିବ। ବିହାରବାସୀଙ୍କ ପାଇଁ, ବିହାରର ବିକାଶ ପାଇଁ ଆଗାମୀ ୧୫ରେ ବିକାଶର ଭିଜନ ପ୍ରସ୍ତୁତ କରାଯିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

Get real time updates directly on you device, subscribe now.