fbpx

ପଶୁପାଳକଙ୍କ ପାଇଁ ଖୁସି ଖବର : ୧୮୧ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍‌ ଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଧିକାଂଶ ଗ୍ରାମ୍ୟ ଅଞ୍ଚଳରେ ଯାତାୟାତର ଅସୁବିଧା ଥିବା ଯୋଗୁଁ ପଶୁପାଳକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍‌ ଯାନର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ରାଜଧାନୀରେ ଥିବା କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅଧୀନରେ ଏହି ଯାନଗୁଡ଼ିକ ରାଜ୍ୟବ୍ୟାପୀ ପ୍ରାଣୀଧନ ସେବା ଯୋଗାଇବେ। ପଶୁପାଳକ ତଥା କୃଷକଙ୍କ ସୁବିଧା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପ୍ରାଣୀ ଚିକିତ୍ସାଳୟ ଠାରୁ ଦୂରରେ ଥିବା ଗାଁରେ ପଶୁପାଳନ କରୁଥିବା ବ୍ୟକ୍ତିମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ବର୍ତ୍ତମାନ ପଶୁପାଳନ କରୁଥିବା ବ୍ୟକ୍ତିଙ୍କ ପାଇଁ ସରକାର ଘରେ ହିଁ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ପାଇଁ ପ୍ରାଣୀ ଚିକିତ୍ସା ୟୁନିଟ୍ କାର୍ଯ୍ୟ ଆରମ୍ଭ କରିଛନ୍ତି । ପଶୁପାଳକଙ୍କ ଜୀବନକୁ ଅଧିକ ସହଜ କରିବା, ଆୟକୁ ବୃଦ୍ଧି କରିବା ଏବଂ ସେମାନଙ୍କ ମୁହଁରେ ହସ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ପଶୁ ସମ୍ପଦ ବିକାଶ କ୍ଷେତ୍ରକୁ ପରବର୍ତ୍ତୀ ସ୍ତରର ଅଭିବୃଦ୍ଧି ବୋଲି ଚିହ୍ନଟ କରାଯାଇଛି।

ଏହି ଯାନଗୁଡ଼ିକ ଚାଷୀମାନଙ୍କ ପାଇଁ ସଚେତନତା କ୍ୟାମ୍ପ ଆୟୋଜନ କରିବା ସହିତ ପଶୁଙ୍କ ଜଟିଳ ଅସ୍ତ୍ରୋପଚାର, ଟିକାକରଣ, ଡାଏଗ୍ନୋଷ୍ଟିକ୍ ସେବା ପ୍ରଦାନ କରିବ। ଏହି ଯାନଗୁଡ଼ିକର ଲୋକେସନ୍‌ ବା ସ୍ଥାନ ଜିପିଏସ୍‌ ଦ୍ବାରା ଟ୍ରାକ୍ କରାଯାଇ ପାରିବ । ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍‌ ଯାନର ଶୁଭାରମ୍ଭ ବେଳେ ସେଠାରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ଅଧିକାରୀ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

Get real time updates directly on you device, subscribe now.