fbpx

ଗାଡ଼ି ସହ ନଈକୁ ପେଲିଦେଲା Google Map: ଭରସା କରି ଠକାମୀରେ ପଡ଼ିଲେ ୟୁଜର

AAKASH

ଓଡ଼ିଶା ଭାସ୍କର: କିଛି ଅଜଣା ରାସ୍ତା ବା ଅଜଣା ଜାଗାକୁ ଗଲେ ଅନେକ ଲୋକଙ୍କ ଭରସା ଥାଏ ଗୁଗଲ ମ୍ୟାପ୍ । ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସବୁଠାରୁ ସହଜ ଏବଂ ଅଳ୍ପ ବାଟ ଦେଖାଇଥାଏ ସ୍ମାର୍ଟ ଫୋନର ଏହି ଫିଚର । କିନ୍ତୁ ବେଳେବେଳେ ଏହାକୁ ଭରସା କରି ୟୁଜର ଠକାମୀରେ ବି ପଡ଼ିଯାଆନ୍ତି । ବିଶେଷ କରି ଗଳି କିମ୍ବା କୌଣସି ମୋଡ଼ରେ ଗୁଗଲ ମ୍ୟାପ୍ ଧୋକା ଦେଇଦିଏ, ଯାହା ପାଇଁ ୟୁଜରଙ୍କୁ ବିଭିନ୍ନ ସମସ୍ୟାରେ ହୋଇଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ଗାଡ଼ି ଚାଳକ ଗୁଗଲ ମ୍ୟାପକୁ ଭରସା କରି ଗାଡ଼ି ସହ ସିଧା ଯାଇ ନଈରେ ପଡ଼ିଛନ୍ତି ।

ସୂଚନା ଅନୁସାରେ, ହାଇଦ୍ରାବାଦର କିଛି ପର୍ଯ୍ୟଟକ ଗୋଟିଏ ଗାଡ଼ିରେ ଯିବା ସମୟରେ ବାଟ ଖୋଜିବା ପାଇଁ ଗୁଗଲ ମ୍ୟାପର ସାହାଯ୍ୟ ନେଇଥିଲେ । କିନ୍ତୁ ଗୁଗଲ ମ୍ୟାପ୍ ତାଙ୍କୁ ଧୋକା ଦେଇ ଦେଇଛି । ଫଳରେ ତାଙ୍କ ଏସୟୁଭି କାର୍ ସହ ସେମାନେ ସିଧା ଯାଇ ଏକ ନଦୀ ଭିତରେ ପଶିଯାଇଛନ୍ତି । କେରଳର କୋଟ୍ଟାୟମ ଜିଲ୍ଲାର କୁରୁପ୍ପନ୍ଥରା ଅଞ୍ଚଳରେ ଆଜି ଏଭଳି ଏକ ଘଟଣା ଦେଖାଦେଇଛି । କାର୍ ଭିତରେ ୩ ଜଣ ପୁରୁଷ ଏବଂ ଜଣେ ମହିଳା ଥିବା ବେଳେ ସେମାନେ ଅଲାପ୍ପୁଝା ଯାଉଥିବା ଜାଣିବାକୁ ମିଳିଛି । ତେବେ ଗୁଗଲ ମ୍ୟାପ୍ ଉପରେ ଭରସା କରି ସେମାନେ ଯାଉଥିବା ବେଳେ ମ୍ୟାପ୍ ଏକ ନଦୀ ଭିତର ରାସ୍ତା ଦେଖାଇଥିଲା । ଫଳରେ ପର୍ଯ୍ୟଟକମାନେ ଏହି ନଦୀ ଭିତରେ ଫସି ଯାଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାରେ କୌଣସି ପର୍ଯ୍ୟଟକ ବିଶେଷ ଆହତ ହୋଇନାହାନ୍ତି । ସ୍ଥାନୀୟ ଲୋକେ ଏବଂ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । କିନ୍ତୁ କାର୍ ନଦୀ ସ୍ରୋତରେ ଭାସି ଯାଇଥିବା ବେଳେ ଏହାକୁ ଉଦ୍ଦାର କରିବା ପାଇଁ ପ୍ରୟାସ ଜାରି ରହିଛି । ତେବେ ଗୁଗଲ ମ୍ୟାପ୍ ଉପରେ ଭରସା କରି ଅନେକ ସମୟରେ ୟୁଜର ଏଭଳି ସମସ୍ୟାରେ ପଡ଼ୁଥିବାର ଦେଖାଯାଉଛି ।

Get real time updates directly on you device, subscribe now.