fbpx

ଚାଷଜମିରେ ବ୍ଲେଡ ଥିବା ତାର ଲଗାଇଲେ ଭୋଗିବେ ଜେଲଦଣ୍ଡ: ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ୟୁପି ସରକାର । ଏବେ ରାଜ୍ୟର ଯେକୌଣସି ଚାଷଜମିରେ ଆପଣ ସୂକ୍ଷ୍ମ ତାର ଲଗାଇ ପାରିବେ ନାହିଁ । କ୍ଷେତରେ ସୂକ୍ଷ୍ମ ତାର, କଣ୍ଟା ତାର ଏବଂ ବ୍ଲେଡ୍ ତାର ବ୍ୟବହାରକୁ ସରକାର ନିଷିଦ୍ଧ କରିଛନ୍ତି । ଯଦି କୌଣସି ଚାଷୀ ନିଜ କ୍ଷେତରେ ଏହା ବ୍ୟବହାର କରୁଥିବା ଦେଖିବାକୁ ମିଳେ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଯେଉଁମାନେ ଏହି ଆଦେଶ ପାଳନ ନକରିବେ, ସେମାନଙ୍କୁ ଜେଲ ଯିବାକୁ ପଡ଼ିପାରେ ।

ସୂଚନାନୁସାରେ, ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ରଜନୀଶ ଦୁବେ ଏଥିପାଇଁ ସମସ୍ତ ଜିଲ୍ଲାର ଡିଏମଙ୍କୁ ଚିଠି ଲେଖିଛନ୍ତି । ସମସ୍ତ ଡିଏମଙ୍କୁ ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କୁହାଯାଇଛି । ଚାଷଜମିରେ କଶୁମାନଙ୍କୁ ପଶିବାକୁ ରୋକିବାକୁ ଚାହୁଁଥିଲେ ଚାଷୀମାନେ ଏକ ସାଧାରଣ ଦଉଡି ବ୍ୟବହାର କରିପାରିବେ ବୋଲି ଚିଠିରେ କୁହାଯାଇଛି । ଯଦି ଜଣେ ଚାଷୀ ନିଜ ଜମିରେ ବ୍ଲେଡ୍ କିମ୍ବା କଣ୍ଟା ତାର ଲଗାନ୍ତି, ତା’ହେଲେ ପଶୁ କ୍ରୁରତା ନିବାରଣ ଅଧିନିୟମ ଆକ୍ଟ ୧୯୬୦ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ଅନେକ ଚାଷୀ ପଶୁମାନଙ୍କଠାରୁ ଚାଷଜମିକୁ ରକ୍ଷାକରିବାକୁ ଯାଇ ବ୍ଲେଡ୍ କିମ୍ବା କଣ୍ଟା ତାର ବ୍ୟବହାର କରନ୍ତି । ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ତାର ଲାଗିବା ଦ୍ୱାରା ପଶୁମାନେ ଗୁରୁତର ଆହତ ବା ପଙ୍ଗୁ ହୋଇଯାଉଛନ୍ତି । ଏହି ତାରଗୁଡ଼ିକ ଯୋଗୁୁଁ ଅନେକ ପ୍ରାଣୀଙ୍କର ମୃତ୍ୟୁ ମଧ୍ୟ ଘଟିଛି । ବର୍ତ୍ତମାନ ପଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ୟୁପି ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଏଭଳି ତାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି ।

Get real time updates directly on you device, subscribe now.