fbpx

ଦୈତାରୀ ମହାପାତ୍ରଙ୍କ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଲେଖକ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଓଡିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲିଖିତ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚନ ହୋଇଛି। ରାଜଭବନରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧ଟା ୩୦ରେ ୩୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ସମୟରେ ଲେଖକ ଦୈତାରୀ ମହାପାତ୍ର ରାଜ୍ୟପାଳଙ୍କୁ ସାତ ଖଣ୍ଡ ପୁସ୍ତକ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ଆଡଭୋକେଟ୍ ମହେଶ ରାୟ ଏବଂ ତୁଲସୀରାମ ଜଗତ ଉପସ୍ଥିତ ଥିଲେ।

ଲେଖକ ଦୈତାରୀ ମହାପାତ୍ର ମାତ୍ର ୧୮ ଦିନ ଭିତରେ ଅକ୍ଳାନ୍ତ ପରିଶ୍ରମ କରି ଦେଶର ପଞ୍ଚଦଶ ରାଷ୍ଟ୍ରପତି ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ନାମକ ପୁସ୍ତକଟି ରଚନା କରିଥିଲେ। ପୁସ୍ତକରେ ରାଷ୍ଟ୍ରପତି ମୁର୍ମୁଙ୍କ ଜୀବନୀ, ତାଙ୍କର ରାଜନୀତି କ୍ୟାରିୟରଠୁ ନେଇ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଯାତ୍ରା ସବୁ ବର୍ଣ୍ଣନା କରାଯାଇଛି। ସେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗ, ଭାରତୀୟ ନାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲିଖିତ ଦୁଇଟି ପୁସ୍ତକ, ମୋଟ୍ ଏହିପରି ଆଠ ପୁସ୍ତକ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।

କାର୍ଯ୍ୟକ୍ରମରେ ପରେ ଦୈତାରୀ ମହାପାତ୍ର କହିଛନ୍ତି, ରାଜ୍ୟପାଳଙ୍କ ହସ୍ତରେ ପଞ୍ଚଦଶ ରାଷ୍ଟ୍ରପତି ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ନାମକ ପୁସ୍ତକର ଉନ୍ମୋଚନ ନେଇ ଯେଉଁ ଇଚ୍ଛା ଥିଲା ତାହା ଆଜି ପୂରଣ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାରୋଟି ପୁସ୍ତକର ଉନ୍ମୋଚନ ହୋଇ ସାରିଛି। ସେ ଏହା ମଧ୍ୟ କହିଛନ୍ତି, ଯେଉଁମାନଙ୍କର ଆମ ସମାଜ, ସଭ୍ୟତା, ସଂସ୍କୃତି ପ୍ରତି କିଛି ଉଲ୍ଲେଖନୀୟ ଅବଦାନ ରହିଛି, ସେହି ମାନଙ୍କ ଜୀବନୀ, କୃତିତ୍ଵ, ନିଷ୍ଠା, ଏକାଗ୍ରତା ଏବଂ ସାମଗ୍ରୀକ ଜୀବନକୁ ନେଇ ପୁସ୍ତକ ରଚନା କରୁଛି। ଆଗାମୀ ଦିନରେ ଓଡିଶାର ରାଜ୍ୟପାଳଙ୍କ ବିଷୟରେ ପୁସ୍ତକ ରଚନା କରିବେ ବୋଲି କହିଛନ୍ତି। ପାଖାପାଖି ୪୦୦ରୁ ୫୦୦ ପୃଷ୍ଠା ସମ୍ବଳିତ ପୁସ୍ତକର ଲେଖା ଆରମ୍ଭ ହୋଇ ଯାଇଛି। ଏପରିକି ଆଗାମୀ ତିନି ମାସ ଭିତରେ ୧୦୮ ଖଣ୍ଡ ପୁସ୍ତକ ଏକକାଳୀନ ଭାବେ ରାଜ୍ୟପାଳଙ୍କ ହାତରେ ଲୋକାର୍ପଣ କରାଇବାର ଲକ୍ଷ୍ୟ ଥିବା ପଣ୍ଡିତ ଦୈତାରୀ ମହାପାତ୍ର କହିଛନ୍ତି। ଏଯାବତ ଶ୍ରୀ ମହାପାତ୍ର ୩୦୩୭ଟି ପୁସ୍ତକ ରଚନା କରି ଓଡ଼ିଶାର ଭାଷା ସାହିତ୍ୟକୁ ସୁଦୃଢ଼ କରିଛନ୍ତି ଯାହା ବିଶ୍ୱରେ ବିରଳ। ସେ ତାଙ୍କର ସମ୍ପୂର୍ଣ ଜୀବନ ସାହିତ୍ୟ ସଂସ୍କୃତି ପାଇଁ ଉତ୍ସର୍ଗ କରିଛନ୍ତି ।

Get real time updates directly on you device, subscribe now.