ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ଦମ୍ପତି ବିବାହର ୩୭ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଗୋବିନ୍ଦା ଏବେ ଜଣେ ମରାଠୀ ଅଭିନେତ୍ରୀଙ୍କୁ ମନ ଦେଇଥିବା ଜୋରଦାର ଚର୍ଚ୍ଚା ହେଉଛି । ଏହା ମଧ୍ୟରେ ଗୋବିନ୍ଦାଙ୍କ ଗୋଟିଏ କଥା ତାଙ୍କ ଫ୍ୟାନମାନଙ୍କୁ ଟିକେ ଦ୍ୱନ୍ଦ୍ୱରେ ପକାଇଛି ।
ଏମିତିରେ ଗୋବିନ୍ଦାଙ୍କ ନାମ ବଲିଉଡ୍ ର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି । ଏଥିରେ ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ନାଁ ମଧ୍ୟ ରହିଛି । ଏକ ସାକ୍ଷାତକାରରେ ଗୋବିନ୍ଦା ଦିବ୍ୟା ଭାରତୀଙ୍କ ଉଦେ୍ଦଶ୍ୟରେ କହିଥିଲେ, ମୁଁ ଭାଗ୍ୟରେ ବିଶ୍ୱାସ କରେ । ଯାହା ହେବା କଥା ହେବ । ମୋତେ ଦିବ୍ୟା, ଜୁହି ଦୁହେଁ ପସନ୍ଦ । ଯେକୌଣସି ପୁରୁଷ ହୁଅନ୍ତୁ ନା କାହିଁକି ଏହି ଦୁଇ ଅଭିନେତ୍ରୀଙ୍କୁ ପସନ୍ଦ କରିବେ । ମୋ’ କଥା ଶୁଣି ସୁନୀତାଙ୍କୁ ଖରାପ ଲାଗିପାରେ । ମାତ୍ର ଦିବ୍ୟାଙ୍କ ସୌନ୍ଦର୍ଯ୍ୟ ପ୍ରତି ମୋର ଦୁର୍ବଳତା ରହିଛି ।
ସେମିତି ଆଉ ଏକ ସାକ୍ଷାତକାରରେ ମଧ୍ୟ ଗୋବିନ୍ଦା ଏକଥା କହିଥିଲେ କି ସୁନୀତା ପ୍ରସ୍ତୁତ ରୁହନ୍ତୁ ମୋ ଜାତକରେ ଦ୍ୱିତୀୟ ବିବାହ ଲେଖା ଅଛି । ସେତେବେଳେ ଗୋବିନ୍ଦା କହିଥିଲେ କିଏ କହିବ ସମୟ କାହାକୁ କେଉଁଠି କେଉଁ ପରିସ୍ଥିତିରେ ଠିଆ କରିବ । କେଉଁ ହିରୋଇନଙ୍କ ସହ ଯଦି ମୋ’ ନାଁ ଯୋଡ଼ି ହୋଇଯିବ ମୁଁ ତାଙ୍କୁ ବିବାହ କରିବି । ଏ ପାଇଁ ସୁନୀତାଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଗୋବିନ୍ଦା ସେତେବେଳେ ଏ କଥା ମଜାରେ କି ସତରେ କହିଥିଲେ ସେ ଜାଣିଥିବେ । ମାତ୍ର ଏବେ ଏହି ଚର୍ଚ୍ଚା ଶୁଣି ଫ୍ୟାନମାନେ ବି କହୁଛନ୍ତି ସତରେ କ’ଣ ଗୋବିନ୍ଦା ଦ୍ୱିତୀୟ ବିବାହ କରିବେ । ତେବେ ଦେଖାଯାଉ ସମୟ କ’ଣ କହୁଛି ।