8th Pay Commission: ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ହେବ ୫୧,୪୮୦ ଟଙ୍କା, ନୂଆବର୍ଷ ବଡ଼ ଉପହାର ଦେବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେବେ । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁସାରେ ବେସିକ ସାଲାରୀ ୧୮,୦୦୦ ଟଙ୍କା ମିଳୁଛି । ଏହା ପୂର୍ବରୁ ଷଷ୍ଠ ବେତନ କମିଶନ ଅନୁସାରେ କର୍ମଚାରୀଙ୍କ ବେସିକ ସାଲାରୀ ୭ ହଜାର ଟଙ୍କା ରହିଥିଲା । ଏବେ ଅଷ୍ଟମ ବେତନ କମିଶନ ଲାଗୁ ହେବା ଫଳରେ କର୍ମଚାରୀଙ୍କ ସର୍ବନିମ୍ନ ବେତନରେ ୧୮୬ ପ୍ରତିଶତ ବୃଦ୍ଧି ଘଟି ତାହା ୫୧,୪୮୦ ଟଙ୍କାରେ ପହଞ୍ଚିବ ବୋଲି କୁହାଯାଉଛି ।

ସପ୍ତମ ବେତନ କମିଶନ ଲାଗୁ ହେବା ଏହା ମଧ୍ୟରେ ୮ ବର୍ଷ ହୋଇଗଲାଣି । ଏହି ଅବଧି ମଧ୍ୟରେ ମହଙ୍ଗା ୨-୩ ଗୁଣ ହୋଇଗଲାଣି । ତେଣୁ ଅଷ୍ଟମ ବେତନ କମିଶନ ଲାଗୁ କରିବାକୁ ସରକାରୀ କର୍ମଚାରୀମାନେ ଦାବି କରିଆସୁଛନ୍ତି । ତେବେ କର୍ମଚାରୀଙ୍କ ଏହି ପ୍ରତୀକ୍ଷାରେ ଖୁବଶୀଘ୍ର ବିରାମ ଲାଗିପାରେ । ଯଦି ସବୁକିଛି ଠିକ୍ ରୁହେ, ତେବେ ଏଥର କେନ୍ଦ୍ର ବଜେଟରେ ଅଷ୍ଟମ ବେତନ ଆୟୋଗକୁ ନେଇ ବଡ଼ ଘୋଷଣା ହୋଇପାରେ । ତା’ପରେ ସରକାରୀ କର୍ମଚାରୀଙ୍କ ବେସିକ ସାଲାରୀରେ ୧୮୬ ପ୍ରତିଶତ ବୃଦ୍ଧି ଘଟିବ । ଏଥିସହିତ ପେନସନଧାରୀଙ୍କ ପେନସନରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିବ ।

ଅତିକମରେ ୨.୮୬ର ଫିଟମେଣ୍ଟ ଫ୍ୟାକ୍ଟରକୁ ମଞ୍ଜୁରୀ ମିଳିବା ନେଇ ଆଶା ରହିଥିବା ନ୍ୟାସନାଲ କାନଉନସିଲ ଅଫ୍ ଜଏଣ୍ଟ କନସଲେଟିଭ୍ ମଶିନରୀ (ଜେସିଏମ)ର ସଚିବ ସୂଚନା ଦେଇଛନ୍ତି । ସପ୍ତମ ବେତନ ଆୟୋଗ ଅନୁସାରେ ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ତୁଳନାରେ ୨୯ ଆଧାର ଅଙ୍କ (ବିପିଏସ) ଅଧିକ ରହିଛି । ଯଦି କେନ୍ଦ୍ର ସରକାର ୨.୮୬ ଫିଟମେଣ୍ଟ ଫ୍ୟାକ୍ଟରକୁ ମଞ୍ଜୁରୀ ଦିଅନ୍ତି, ତେବେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ବୃଦ୍ଧି ପାଇଁ ୫୧,୪୮୦ ଟଙ୍କା ହୋଇଯିବ ।