fbpx

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଅନାଥ-କିନ୍ନରଙ୍କୁ ସାମିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ବାଳିକା ଏବଂ କିନ୍ନର ଶିଶୁମାନଙ୍କୁ ଉଚ୍ଚ ଶିକ୍ଷାରେ ସହାୟତା ଯୋଗାଇଦେବେ ରାଜ୍ୟ ସରକାର। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସରକାର ସାମିଲ କରାଇଛନ୍ତି।

୨୦୨୩-୨୪ ଶିକ୍ଷାବର୍ଷରୁ ସେମାନଙ୍କୁ ଏହି ସୁବିଧା ମିଳିବ। ୨୦୧୮-୧୯ ବର୍ଷରୁ ରାଜ୍ୟରେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଅସହାୟ ଓ ଆର୍ଥିକ ଅନଗ୍ରସର ବର୍ଗର ଶିଶୁମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଗୋପବନ୍ଧୁ ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ଏଥିରେ ବାସହୀନ ପରିବାରର ଶିଶୁ, ଏଚଆଇଭି/ଏଡ୍‍ସ ଆକ୍ରାନ୍ତ ବ୍ୟକ୍ତିଙ୍କ ଶିଶୁ, ସମ୍ବେଦନଶୀଳ ଆଦିବାସୀ ପରିବାର, ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ପିଲା, ଛାଡପତ୍ର ପାଇଥିବା ମହିଳା, ବିଧବା କିମ୍ବା ଭିକ୍ଷାବୃତ୍ତି କରୁଥିବା ଅବିବାହିତା ମହିଳାଙ୍କ ପିଲାମାନେ ସାମିଲ ହୋଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଉଚ୍ଚଶିକ୍ଷା ପାଇଁ ଏଥିରେ ଆଉ ତିନି ବର୍ଗଙ୍କୁ ସାମିଲ କରିଛନ୍ତି।

ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ମର୍ମରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ପତ୍ର ଲେଖାଯାଇଛି। କାରଣ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଅନାଥ ଶିଶୁମାନଙ୍କୁ ଏହି ଯୋଜନାରେ ସାମିଲ ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ଶିଶୁଙ୍କୁ ଏଥିରେ ସାମିଲ କରାଯାଇଥାଏ।

Get real time updates directly on you device, subscribe now.