fbpx

ସରକାରୀ ଶିକ୍ଷକଙ୍କୁ ଘରୋଇ ଟ୍ୟୁସନ ଓ ଘରୋଇ କୋଚିଂ ସେଣ୍ଟର ମନା, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଅନେକ କ୍ଷେତ୍ରରେ ଶିକ୍ଷକମାନେ ଘରୋଇ ଟ୍ୟୁସନ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିଥାନ୍ତି । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରର କିଛି ଶିକ୍ଷକ ଏହି ଲାଭଖୋର ବୃତ୍ତିକୁ ଆପଣାଇ ନେଇଥାନ୍ତି । ଶିକ୍ଷକମାନେ ଅତିରିକ୍ତ ଅର୍ଥ ରୋଜଗାର ପାଇଁ ପରୋକ୍ଷରେ ନିଜର ମୁଖ୍ୟ ବୃତ୍ତିକୁ ଅବହେଳା କରିଥାନ୍ତି । ତେବେ ଏବେ ଶିକ୍ଷକମାନେ ଆଉ ପ୍ରାଇଭେଟ ଟ୍ୟୁସନ କରିପାରିବେ ନାହିଁ । ଏଥିରେ ଲାଗିବ ଅଙ୍କୁଶ । ଟ୍ୟୁସନ କରୁଥିବା ଶିକ୍ଷକମାନେ ଧରାପଡ଼ିଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନିକଟରେ ମଣିପୁର ସରକାର ଏଭଳି ଏକ ନୂଆ ନିୟମ ଲାଗୁ କରିଛନ୍ତି । ଶିକ୍ଷକମାନେ ଘରୋଇ ଟ୍ୟୁସନ ଓ ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂ ଦେଇ ପାରିବେ ନାହିଁ । ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି, ସେମାନଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଶିକ୍ଷକମାନେ ଠିକ୍ ଭାବେ ପଢ଼ାଉନଥିବା ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରି ଆସୁଥିଲେ । ପିଲାମାନେ ସେମାନଙ୍କର ଡାଉଟ୍ କ୍ଲିୟର କରିବା ପାଇଁ ପ୍ରାଇଭେଟ୍ ଟ୍ୟୁସନ ନେବା ଆବଶ୍ୟକ ବୋଲି ଶିକ୍ଷକମାନେ ପ୍ରବର୍ତ୍ତାଉଥିବା ଜଣାପଡ଼ିଥିଲା । ତେବେ ଏହି ସମସ୍ୟାକୁ ଦୂର କରିବା ନେଇ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ସରକାରୀ ସ୍କୁଲର ଶିକ୍ଷକମାନେ ଘରୋଇ ଟ୍ୟୁସନ କରିବା ଓ କୋଚିଂ ସେଣ୍ଟରରେ ପଢ଼ାଇବା ସିଭିଲ ସେବା ନିୟମ ୧୯୬୪ର ଉଲ୍ଲଂଘନ ହେଉଥିବା କୁହାଯାଇଛି । ଏଣିକି ନିୟମ ନ ମାନିଲେ ଶିକ୍ଷକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ତରଫରୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.