fbpx

ଅଟୋ ଡ୍ରାଇଭରଙ୍କ ମହାନତା: ଫେରାଇଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଚେନ୍ନାଇ, ୩୧ା୧: ଆଜିକାଲିର ସମୟରେ ଟଙ୍କା ପାଇଁ ଚୋରି, ରାହାଜାନି, ଛିନତାଇ ଆଦି ଘଟଣାମାନ ଘଟିଚାଲିଛି । କିନ୍ତୁ ତାମିଲନାଡ଼ୁରେ ଏକ ବ୍ୟତିକ୍ରମ ଘଟଣା ଘଟିଛି । ସରୱାନ ନାମକ ଜଣେ ଅଟୋ ଡ୍ରାଇଭର ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇ ଫେରସ୍ତ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ପୋଲିସ ତାଙ୍କୁ ପୁରସ୍କୃତ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପାଲ୍ ବ୍ରାଇଟ୍ ନାମକ ଜଣେ ବ୍ୟବସାୟୀ ନିଜ ଘରକୁ ଅଟୋ ଯୋଗେ ଫେରୁଥିଲେ । ପାଲଙ୍କ ପାଖରେ ଏକ ଅଳଙ୍କାର ଭର୍ତ୍ତି ବ୍ୟାଗ ରହିଥିଲା । ସେ ନିଜ ଝିଅଙ୍କୁ ବିବାହରେ ଉପହାର ଦେବାକୁ ସେ ଅଳଙ୍କାର ରଖିଥିଲେ । ସେ ଅନ୍ୟମନସ୍କ ହୋଇ ବ୍ୟାଗ ନେବାକୁ ଭୁଲିଯାଇଥିଲେ । ପରବର୍ତ୍ତୀ ସମୟରେ ସେ ସମ୍ପୃକ୍ତ ଅଟୋ ଡ୍ରାଇଭରଙ୍କୁ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ ।

ପାଲଙ୍କ ଅଭିଯୋଗ କ୍ରମେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ସରୱାନଙ୍କ ସାନଭାଇଙ୍କ ନାମରେ ଅଟୋ ପଞ୍ଜୀକୃତ ହୋଇଥିବା ଜାଣିପାରିଥିଲା । ପଚରାଉଚରା ପାଇଁ ପୋଲିସ ତାଙ୍କ ସାନଭାଇଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସରୱାନ ଅଳଙ୍କାର ଭର୍ତ୍ତି ବ୍ୟାଗ ଧରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସରୱାନ ବ୍ୟାଗଟିକୁ  ଫେରାଇବା ସମୟରେ ପାଲଙ୍କ ଆଖି ଛଳଛଳ ହୋଇଯାଇଥିଲା । ତେବେ ସରୱାନଙ୍କ ଏହି ମହାନ କାର୍ଯ୍ୟ ପାଇଁ ପୋଲିସ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ପୁରସ୍କୃତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.