ଦିନ ମଜୁରିଆଙ୍କ ମାସିକ ଆୟ ୨୪.୫୫ କୋଟି! ଘରକୁ ଆସିଲା ୪ କୋଟିର GST ନୋଟିସ୍
ଚାକିରି ଦେବାକୁ କହି ବ୍ୟକ୍ତିଗତ ତଥ୍ୟ ନେଇ ଠକେଇ । ଚାକିରି ନାଁରେ ହାତକୁ ଆସିଲା ନୋଟିସ୍ ।
ଜୋନପୁର: ଉତ୍ତର ପ୍ରଦେଶ ଜୋନପୁରରୁ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଦିନ ମଜୁରିଆଙ୍କ ନାଁରେ ଆସିଛି ୪ କୋଟି ୪୨ ଲକ୍ଷ ୪୦୦ ଟଙ୍କାର ଜିଏସଟି ନୋଟିସ୍ । ଯାହାକୁ ଦେଖିବା ପରେ ଦିନ ମଜୁରିଆଙ୍କ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି ।
ମାସରେ ମଜୁରିଆ ରୋହିତ ସରୋଜ ୨୪ କୋଟି ୫୫ ଲକ୍ଷ ୮୦ ହଜାର ଟଙ୍କା ଆୟ କରିଥିବାବେଳେ ଆୟ ଅନୁସାରେ ୪.୪୨ କୋଟିର ଜିଏସଟି ନୋଟିସ୍ ତାଙ୍କ ନାଁରେ ଜାରି କରାଯାଇଛି ।
ଏ ନେଇ ଉକ୍ତ ବ୍ୟକ୍ତିଜଣକ ଉଚ୍ଚାଧିକାରୀଙ୍କ ନିକଟରେ ଅଭିଯୋଗ କଲାପରେ ଘଟଣା ସାମ୍ନାକୁ ଆସିଛି । ରୋହିତଙ୍କ କହିବା କଥା କିଛିଦିନ ପୂର୍ବେ ତାଙ୍କ ପାଖକୁ ଏକ ଫୋନ୍ କଲ ଆସିଥିଲା । ଫୋନରେ ଥିବା ବ୍ୟକ୍ତିଜଣକ ତାଙ୍କ ଦୂର ସମ୍ପର୍କୀୟ କହି ରୋହିତଙ୍କୁ ଚାକିରି ଦେବାର ଲୋଭ ଦେଖାଇଲା ।
ଏହାପରେ ଚାକିରି ଲୋଭରେ ଫୋନ କରିଥିବା ବ୍ୟକ୍ତି ଯାହା ଯାହା ଡକ୍ୟୁମେଣ୍ଟ ମାଗିଲେ ରୋହିତ ତାହା ଦେଇଗଲେ । ଶେଷରେ ଫୋନକୁ ଆସିଥିବା ଓଟିପି ମଧ୍ୟ ସାମ୍ନା ଲୋକଙ୍କୁ ମିଳିଗଲା । ଏ ଫୋନ୍ କଲକୁ ଗୁଡ଼ାଏ ଦିନ ବିତିଯାଇଥିବାବେଳେ ରୋହିତଙ୍କୁ କୌଣସି ଚାକିରି ମିଳି ନଥିଲା ।
ବରଂ ରୋହିତଙ୍କ ନାଁରେ ୪ କୋଟିର ନୋଟିସ୍ ଆସିଗଲା । ଯାହାକୁ ନେଇ ରୋହିଥଙ୍କ ପୂରା ପରିବାର ଚିନ୍ତାଗ୍ରସ୍ତ ହୋଇପଡ଼ିଛି । ଅଭିଯୋଗ ପରେ ସ୍ଥାନୀୟ ପୋଲିସ ନୋଟିସ୍ ସମ୍ବନ୍ଧରେ ତଥ୍ୟ ଯୋଗାଡ଼ କରିବା ଆରମ୍ଭ କରିଛି ।