fbpx

ଚୌକି ମିଳିଗଲା ସିନା, ଶାନ୍ତି ନାହିଁ: ମାତ୍ର ବର୍ଷକ ମଧ୍ୟରେ ଏହି ୭ଟି ଚ୍ୟାଲେଞ୍ଜ ପୂରଣ କରିବେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ନୂଆଦିଲ୍ଲୀ: ଗୁଜରାଟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚୌକି ହାସଲ କରିବାରେ ସକ୍ଷମ ହୋଇଥିଲେ ହେଁ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଅନୁରୂପ ଭାବେ ନିଯୁକ୍ତ କରାଯାଇଥିଲା । ବର୍ତ୍ତମାନ ସମୟରେ ନିର୍ବାଚନ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ଭାଜପା ଏକ ନୂଆ ରଣନୀତି ଭାବେ ଆପଣାଉଥିବା ଦେଖାଯାଉଛି ।

୧- ଆସନ୍ତା ବର୍ଷ ନଭେମ୍ବର ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭୂପେନ୍ଦ୍ରକୁ ନିଯୁକ୍ତି ଦିଆଯାଇଛି । ବିଜେପି ଏକ ନୂଆ ଚେହେରାକୁ ନେଇ ନିର୍ବାଚନକୁ ଉହ୍ଲାଇବାକୁ ଚାହୁଁଥିବାରୁ ବିଜୟ ରୂପାନୀଙ୍କୁ ହଟାଇ ଭୂପେନ୍ଦ୍ରକୁ ଅଣାଯାଇଛି । ୨୦୧୨ ବିଧାନସଭା ନିର୍ବାଚନରେ ବିଜେପି ୧୧୫ ସିଟ, ୨୦୧୭ରେ ୯୯ ସିଟ ହାସଲ କରିଥିଲା । ତେଣୁ ରାଜ୍ୟରେ କ୍ଷମତା ବଜାୟ ରଖିବା ସହ ପ୍ରଦର୍ଶନ ହାର ବୃଦ୍ଧି କରିବା ତାଙ୍କ ପାଇଁ ଏକ ମୁଖ୍ୟ ଚ୍ୟାଲେଞ୍ଜ ହେବ ।

୨- ଆସନ୍ତା ବର୍ଷ ପ୍ରାରମ୍ଭରୁ ହିଁ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଅଭିଯାନ ଆରମ୍ଭ ହୋଇଯିବ । ତେଣୁ ଏହି ପରିପ୍ରେକ୍ଷୀରେ ଭୂପେନ୍ଦ୍ରଙ୍କ ପାଖରେ ସମୟର ବହୁତ ଅଭାବ ଥିବାରୁ ଚ୍ୟାଲେଞ୍ଜକୁ ସାମନା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପାରେ । ଗୋଟିଏ ବର୍ଷ ମଧ୍ୟରେ ନିଜକୁ ପ୍ରମାଣିତ କରିବା ସହ ସଂଗଠନକୁ ମଜବୁତ କରିବାକୁ ସେ ଚେଷ୍ଟା କରିବେ ।

୩- ଏକ ସୂତ୍ରରୁ ଜଣାପଡ଼ିଛି ଯେ, ରୂପାନୀଙ୍କ କାଳରେ ବ୍ୟୁରୋକ୍ରାଟମାନେ ନିୟନ୍ତ୍ରଣରେ ରହୁନଥିଲେ । ଏହାକୁ ନେଇ ଦଳୀୟ ନେତା ଓ ବିଧାୟକମାନେ ଅସନ୍ତୁଷ୍ଟ ଥିଲେ । ତେଣୁ ବ୍ୟୁରୋକ୍ରାଟଙ୍କ ଉପରେ ଲଗାମ ଲଗାଇବା ଭୂପେନ୍ଦ୍ରଙ୍କର ଏକ ଚ୍ୟାଲେଞ୍ଜ ହେବ ।

୪- ୫ ବର୍ଷ ଧରି କ୍ଷମତାରେ ରହିଥିଲେ ହେଁ ରୂପାନୀ ରାଜ୍ୟରେ ନିଜର ପାୱାର କରିଡର ମଜବୁତ କରିବାରେ ସକ୍ଷମ ହୋଇପାରିନଥିଲେ । କେବଳ ସ୍ୱଚ୍ଛ ଚେହେରା, ବିକାଶମୂଳକ କାର୍ଯ୍ୟ ସହିତ ଜନାଦୃତ ଚେହେରା ଭାବେ ନିଜକୁ ପ୍ରମାଣିତ କରିବା ହେଉଛି ବିଜେପିର ଆଭିମୁଖ୍ୟ । ତେଣୁ ଯେଣତେଣ ପ୍ରକାରେଣ ଭୂପେନ୍ଦ୍ର ଏହି ପଥରେ ଯିବାକୁ ପ୍ରୟାସୀ ରହିବେ ।

୫- କରୋନା ଦ୍ୱିତୀୟ ଲହରକୁ ନେଇ ଲୋକଙ୍କ ମଧ୍ୟରେ ଥିବା ନିରାଶାବାଦୀକୁ ଭୂପେନ୍ଦ୍ର ଦୂର କରିବାକୁ ଚେଷ୍ଟା କରିବେ । କୋଭିଡକୁ ମୁକାବିଲା କରିବାରେ ବିଫଳ ବୋଲି ରୂପାଣୀ ସରକାରଙ୍କ ଉପରେ ଦାଗ ଲାଗିଥିଲା । ତେଣୁ ଦେଶରେ ତୃତୀୟ ଲହରକୁ ନେଇ ତର୍କ ଚାଲିଥିବା ବେଳେ ଏହା ଭୂପେନ୍ଦ୍ର ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହେବ ।

୬- ରାଜ୍ୟରେ ବିଜେପିର ସଂଗଠନ ମଜବୁତ ହେବା ପଛରେ ପଟିଦାର ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ତାହାକୁ ଦୃଷ୍ଟିରେ ରଖି ବିଜେପି ପୁଣି ଥରେ ପଟେଲ କାର୍ଡ ଖେଳିଛି । ୨୦୧୪ ଲୋକସଭ ନିର୍ବାଚନରେ ୬୦ ପ୍ରତିଶତ ଓ ୨୦୧୭ ବିଧାନସଭା ନିର୍ବାଚନରେ ୪୯.୧ ପ୍ରତିଶତ ପାଟିଦାର ଭୋଟ ବିଜେପିକୁ ମିଳିଥିଲା । ତେଣୁ ପଟେଲ ଭୋଟ ବ୍ୟାଙ୍କ ବଢ଼ାଇବା ଭୂପେନ୍ଦ୍ରଙ୍କର ଅନ୍ୟ ଏକ ଦାୟିତ୍ୱ ହେବ ।

୭- ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ବୁଝାମଣା ନେଇ କାର୍ଯ୍ୟ କରିବା ଭୂପେନ୍ଦ୍ରଙ୍କ ଆଗରେ ମୁଖ୍ୟ ଦାୟିତ୍ୱ ଭାବେ ଉଭା ହେବ । ରୂପାଣୀ ସରକାର ଓ ପ୍ରଦେଶ ଅଧ୍ୟକ୍ଷଙ୍କ ମଧ୍ୟରେ ତାଳମେଳ ରହିପାରିନଥିଲା । ତେଣୁ ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଦଳର କୌଣସି କ୍ଷତି ଘଟିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.