fbpx

ଜମ୍ମୁ-କଶ୍ମୀରରେ ତେଜୁଛି ରାଜନୀତିକ ତାତି, ୬ ମାସ ପରେ ସରଗରମ ସ୍ଥିତି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣିଥରେ ରାଜନୀତିକ ତାତି ବଢ଼ିବାରେ ଲାଗିଛି । ପିପୁଲ୍ସ ଆଲାୟନ୍ସ ଅଫ୍ ଗୁପକାର ଡିକ୍ଲେରସନ୍ (ପିଏଜିଡି)ର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଗତ ବୁଧବାର ମେଣ୍ଟର ନେତାଙ୍କୁ ନେଇ ଏକ ବୈଠକ କରିଥିଲେ । ୬ ମାସ ପରେ ଅନୁଷ୍ଠିତ ଏହି ବୈଠକ ପରେ ଫାରୁକ୍ କହିଛନ୍ତି ଯେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପାଇଁ ସଂଘର୍ଷ ଜାରି ରହିବ ଏବଂ ଏଥିପାଇଁ ମେଣ୍ଟ ପକ୍ଷରୁ ସବୁ ପ୍ରକାର ବିକଳ୍ପ ରାସ୍ତା ପ୍ରସ୍ତୁତ ହୋଇରହିଛି । ବାସ୍ ଏହା ପରେ ପରେ ରାଜନୀତିକ ଚର୍ଚ୍ଚା ଜୋର୍ ଧରିଛି ।

ମେହବୁବା ମୁଫତିଙ୍କ ଘରେ ହୋଇଥିଲା ବୈଠକ

ପିଡିପି ଅଧକ୍ଷ ମେହବୁବା ମୁଫତିଙ୍କ ଘରେ ବୈଠକ ଅନୁଷ୍ଠିତ ହୋଇଥିଲା । ଗତବର୍ଷ ଡିସେମ୍ବର ପରେ ମେଣ୍ଟର ଏହା ପ୍ରଥମ ବୈଠକ । ବୈଠକ ପରେ ଫାରୁକ୍ କହିଥିଲେ ଯେ ଆମେ ଆମର ଦାବି ନେଇ କୌଣସି ବି ବିକଳ୍ପ ବନ୍ଦ କରିନାହୁଁ । କେନ୍ଦ୍ର ସରକାର ଯେବେ ଆଲୋଚନା ପାଇଁ ଡାକିଛନ୍ତି ଆମେ ଉପସ୍ଥିତ ହୋଇଛି ଏବଂ ଆଗକୁ ମଧ୍ୟ ପ୍ରସ୍ତୁତ ।

‘ଆମେ ଆମର ଦାବିରେ ଅଟଳ’

ଚଳିତବର୍ଷ ଆରମ୍ଭରେ ସଜ୍ଜାଦ ଲୋନଙ୍କ ନେତୃତ୍ୱରେ ଗଢ଼ି ଉଠିଥିବା ପିପୁଲ୍ସ କନଫରେନ୍ସରୁ ବାହାରିବା ପରେ ଏହି ବୈଠକ ପ୍ରଥମ ଥର ପାଇଁ ହୋଇଛି । ସମ୍ପ୍ରତି ବରିଷ୍ଠ ନେତା ମହମ୍ମଦ ୟୁସୁଫଙ୍କୁ ପିଏଜିଡି ମେଣ୍ଟର ପ୍ରବକ୍ତା ଭାବେ ଘୋଷଣା କରିଛି । ଏହି ଅବସରରେ ଅବଦୁଲ୍ଲା କହିଛନ୍ତି ଯେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ସାଧାରଣ ଜନତା ସବୁ ଜାଣନ୍ତି ଏବଂ ମେଣ୍ଟର ନେତୃବୃନ୍ଦ ମଧ୍ୟ ଠିକ୍ ଭାବେ ସବୁ ଜାଣିଛନ୍ତି । ଆମେ ଆମର ଦାବିରେ ଅଟଳ ରହିବୁ ବୋଲି ସେ କହିଛନ୍ତି ।

ଗତବର୍ଷ ଗଠିତ ହୋଇଥିଲା ପିଏଜିଡି

ଅବଦୁଲ୍ଲା କହିଛନ୍ତି ଯେ ୨୦୧୯ ଅଗଷ୍ଟ ୫ ପରେ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ଆମର ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ବିରୋଧ କରାଯାଉଛି । ତେବେ କରୋନା ମହାମାରୀ ଯୋଗୁଁ ଆମ ମେଣ୍ଟ ବିଶେଷ କିଛି ପଦକ୍ଷେପ ନେବାରେ ସକ୍ଷମ ହୋଇପାରିନି । ଗତବର୍ଷ ମେଣ୍ଟ ଗଠିତ ହୋଇଛି ଏବଂ ଜମ୍ମୁ-କଶ୍ମୀରର ସୁରକ୍ଷା ଓ ସ୍ୱତନ୍ତ୍ରତା ନେଇ ଆମ ଉଦ୍ୟମ ଜାରି ରହିବ ବୋଲି ଅବଦୁଲ୍ଲା କହିଛନ୍ତି ।

Get real time updates directly on you device, subscribe now.