ଓଡ଼ିଶୀ ନୃତ୍ୟର ଜନକ ଭାବରେ ପରିଚିତ ଗୁରୁ ମାୟାଧର ରାଉତ, ୯୫ ବର୍ଷରେ ପରଲୋକ

ପଦ୍ମଶ୍ରୀ ପାଇଥିବା ନୃତ୍ୟଶିଳ୍ପୀ ଗୁରୁ ମାୟାଧର ରାଉତଙ୍କ ପରଲୋକ। ଦିଲ୍ଲୀ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କଲେ ଓଡ଼ିଶୀ ଗୁରୁ।

ନୂଆଦିଲ୍ଲୀ: ଓଡ଼ିଶୀ କିମ୍ୱଦନ୍ତୀର ଜଣେ ମହାନ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତଙ୍କର ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସକାଳ ପ୍ରାୟ ୧୧ଟା ସମୟରେ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗୁରୁ ମାୟାଧର ରାଉତଙ୍କୁ ଓଡ଼ିଶୀ ନୃତ୍ୟର ଜନକ ଭାବରେ ବିବେଚନା କରାଯାଏ। କାରଣ ସେ ୧୯୫୦ ଦଶକରେ ଶାସ୍ତ୍ର- ଆଧାରିତ ଜ୍ଞାନ ସହିତ ଓଡ଼ିଶୀ ନୃତ୍ୟକୁ ପୁନର୍ଜୀବିତ କରିଥିଲେ। ସେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟସ୍ତରରେ ପହଞ୍ଚାଇବା ପାଇଁ ଏହାକୁ  ପୁନଃପରିଭାଷିତ ଏବଂ ପୁନଃଗଠିତ କରିଥିଲେ।

ମାୟାଧରଙ୍କ ଜନ୍ମ: ଏହି ଦିଗଜ ବ୍ୟକ୍ତିଙ୍କର ଜନ୍ମ ୬ ଜୁଲାଇ ୧୯୩୦ ମସିହାରେ ହୋଇଥିଲା। ଗୋଟିପୁଅ ନୃତ୍ୟରେ ତାଙ୍କର ତାଲିମ ୭ ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ୧୯୪୪ ମସିହାରେ ସେ ପ୍ରଥମ ଥର ପାଇଁ ଗୋଟିପୁଅ ନୃତ୍ୟକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ସେ କଳା ବିକାଶ କେନ୍ଦ୍ର (କଟକ)ର ପ୍ରତିଷ୍ଠାତା ସଦସ୍ୟ ଥିଲେ।

ଏହାସହ ୧୯୫୨ ମସିହାରେ ସେଠାରେ ପ୍ରଥମ ଓଡ଼ିଶୀ ଗୁରୁ ଭାବରେ ଯୋଗ ଦେଇଥିଲେ। ଏହା ଦେଶର ପ୍ରଥମ ପ୍ରତିଷ୍ଠାନ ଥିଲା ଯେଉଁଠାରେ ଓଡ଼ିଶୀ ଶିକ୍ଷା ଆରମ୍ଭ ହୋଇଥିଲା। ତାଙ୍କ ସହଯୋଗୀମାନଙ୍କ ସହିତ ମିଶି ସେ ୧୯୫୯ ମସିହାରେ ଜୟନ୍ତିକା ଆସୋସିଏସନ ପ୍ରତିଷ୍ଠା କରିଥିଲେ।

ଯାହାର ଉଦ୍ଦେଶ୍ୟ ଥିଲା ଓଡ଼ିଶୀ ନୃତ୍ୟର ବିକାଶ। ଏହା ସହିତ ସେ ଶାସ୍ତ୍ରୀୟ ଢାଞ୍ଚା ପ୍ରଦାନ କରିଥିଲେ ଏବଂ ଅଭିନୟର ମୌଳିକ ବିଜ୍ଞାନକୁ ନେଇ ଏହାର ଶବ୍ଦକୋଷ ନିର୍ମାଣ କରିଥିଲେ। ସେ ପ୍ରଥମ ଗୁରୁ ଥିଲେ ଯିଏ ପଶ୍ୟତି ଦିଶି ଦିଶି, ପ୍ରିୟା ଚାରୁ ଶିଲେ ଏବଂ ସଖୀ ଭଳି ଶୃଙ୍ଗାର ରସ ସହିତ ଗୀତଗୋବିନ୍ଦ ଅଷ୍ଟପଦୀ ନୃତ୍ୟ ନିର୍ଦ୍ଦେଶନା କରିଥିଲେ।

ଦିଲ୍ଲୀରେ ଓଡ଼ିଶୀର ପ୍ରଚାର: ୧୯୬୮ ମସିହାରେ ସେ ଦିଲ୍ଲୀ ଯାଇଥିଲେ।  ୧୯୭୦ ରୁ ୧୯୯୫ ପର୍ଯ୍ୟନ୍ତ ଶ୍ରୀରାମ ଭାରତୀୟ କଳା କେନ୍ଦ୍ରରେ ଓଡ଼ିଶୀ ବିଭାଗର ସେ ମୁଖ୍ୟ ଥିଲେ। ୧୯୭୧ ମସିହାରେ ତାଙ୍କ ଗୀତଗୋବିନ୍ଦ ସହିତ ଦିଲ୍ଲୀର କମାନୀ ଅଡିଟୋରିୟମ୍ ଉଦଘାଟନ ହୋଇଥିଲା। ୧୯୭୦ ମସିହାରେ ସେ ଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ଓଡ଼ିଶୀ ଶ୍ରେଣୀ ମଧ୍ୟ ଆରମ୍ଭ କରିଥିଲେ।

ଓଡ଼ିଶୀ ନୃତ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସେ ୩୫ ରୁ ଅଧିକ ଦେଶ ଗସ୍ତ କରିଛନ୍ତି। ତାଙ୍କ ସ୍କୁଲ ଜୟନ୍ତିକା (ମାୟାଧର ରାଉତ ସ୍କୁଲ ଅଫ୍ ଓଡ଼ିଶୀ ଡ୍ୟାନ୍ସ)ର ସାରା ବିଶ୍ୱରେ ଶିକ୍ଷାଦାନ କେନ୍ଦ୍ର ଅଛି।

ମାୟାଧରଙ୍କୁ ପୁରସ୍କାର: ଗୁରୁ ମାୟାଧର ରାଉତଙ୍କୁ ଟାଗୋର ଏକାଡେମୀ ରତ୍ନ (୨୦୧୧), ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୫), ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୭) ମିଳିଥିଲା।

ଏହାସହ ସାହିତ୍ୟ କଳା ପରିଷଦ ପୁରସ୍କାର (୧୯୮୪), ଉପେନ୍ଦ୍ର ଭଞ୍ଜ ସମ୍ମାନ (୨୦୦୫), ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର (୨୦୦୩), ବିଜୁ ପଟ୍ଟନାୟକ ସମ୍ମାନ (୧୯୯୩), ଉତ୍କଳ ପ୍ରତିଭା ପୁରସ୍କାର (୧୯୮୪), ଭାରତ କେ ସଙ୍ଗୀତ ରତ୍ନ ପୁରସ୍କାର (୨୦୦୭), ଘୁଙ୍ଗୁର ସମ୍ମାନ (୨୦୧୦) ଇତ୍ୟାଦି ସମ୍ମାନରେ ସମ୍ମାନିତ କରାଯାଇଛି।