‘ମରିବୁ ପଛେ ଏଇଠୁ ଉଠିବୁନି’, ତାତିଲେ ଜିମ୍ ମାଲିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲ୍ ଓଡ଼ିଶା ଜିମ୍ ଓନର୍ସ ଆସୋସିଏସନ ତରଫରୁ ହଙ୍ଗର ଷ୍ଟ୍ରାଇକ୍ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସୋସିଏସନ୍ କର୍ମକର୍ତ୍ତା ଧାରଣାରେ ବସିଛନ୍ତି । ଜିମ୍ ଖୋଲିବାକୁ ଅନୁମତି ଦିଆନଯିବାରୁ ଏଭଳି ପ୍ରତିବାଦ କରାଯାଉଛି । ମରିବୁ ପଛେ, ଏଇଠୁ ଉଠିବୁ ନାହିଁ ବୋଲି ସେମାନେ ଦୃଢ଼ ଭାବେ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ କରୋନା ମହାମାରୀ ପାଇଁ ଦୀର୍ଘଦିନ ଧରି ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ ସଂକ୍ରମଣ ହାର କମିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ସ୍ଥାନରେ କଟକଣା କୋହଳ କରୁଛନ୍ତି ଏବଂ ଆବଶ୍ୟକ ଭିତ୍ତିରେ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ଜିମ୍ ଖୋଲିବାକୁ ଦିଆଯାଇନି ଅନୁମତି । ଫଳରେ ରାଜ୍ୟର ଅନେକ ଜିମ୍ ମାଲିକ ଓ ଏହାର କର୍ମକର୍ତ୍ତାଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇପଡ଼ିଛି । ଏହାର ପ୍ରତିବାଦରେ ରାଜ୍ୟ ଜିମ୍ ମାଲିକ ସଂଘ ପକ୍ଷରୁ ବାରମ୍ବାର ପ୍ରତିବାଦ କରାଯାଇ ଆସୁଛି ଏବଂ ହଙ୍ଗର୍ ଷ୍ଟ୍ରାଇକ୍ ଆରମ୍ଭ କରାଯାଇଛି ।

ଆସୋସିଏସନ୍ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସରକାର ପ୍ରାୟ ସବୁ ଦୋକାନ ଖୋଲିବା ସହିତ ସରକାରୀ ଅଫିସ ୫୦% କର୍ମଚାରୀଙ୍କୁ ନେଇ ଚାଲିବାକୁ ଅନୁମତି ଦେଇଛନ୍ତି । ତେବେ ଆମ ପାଇଁ ବୈମାତୃକ ମନୋଭାବ କରୁଛନ୍ତି ସରକାର । ଏନେଇ ପ୍ରଥମେ ସରକାରଙ୍କୁ ଅନୁରୋଧ କରାଗଲା ଓ ଜିମ୍ ଖୋଲିବା ପାଇଁ ନିବେଦନ କରାଗଲା । କିନ୍ତୁ ସରକାର କୌଣସି କଥା ନଶୁଣିବାରୁ ଆମେ ହଙ୍ଗର ଷ୍ଟ୍ରାଇକରେ ବସିଛୁ ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏଇଠୁ ଉଠିବୁ ନାହଁ ବୋଲି ଜିମ୍ ଆସୋସିଏସନ୍ ସଭାପତି ଡକ୍ଟର ସତ୍ୟଜିତ କହିଛନ୍ତି ।