fbpx

ବଡ଼ଗଡ଼ ହାଜତ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ: ମୃତକଙ୍କର ଅଛନ୍ତି ୨ ପତ୍ନୀ! ଏଯାଏଁ ଜଣାପଡ଼ୁନି ପ୍ରକୃତ ପରିଚୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ହୋଇଥିବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ମୃତ ଦେହ ଦାବି କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହ ବାହାରେ ହୋହାଲ୍ଲା କରୁଛନ୍ତି ୨ ମହିଳା । ଉଭୟ ମହିଳା ନିଜକୁ ମୃତ ବ୍ୟକ୍ତିଙ୍କ ପତ୍ନୀ ବୋଲି ଦାବି କରି ହାତାହାତି ମଧ୍ୟ ହୋଇଛନ୍ତି । ବଡ଼ କଥା ହେଉଛି ଉଭୟ ମହିଳା ପରସ୍ପରକୁ ଚିହ୍ନିନଥିବା କହିଛନ୍ତି । ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱରେ କମିଶନରେଟ୍ ପୋଲିସ୍ ।

ସୂଚନାଯୋଗ୍ୟ, ସୋମବାର ଭୁବନେଶ୍ୱର ବଡ଼ଗଡ଼ ଥାନାରେ କପିଳପ୍ରସାଦ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତିଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ଥାନାରେ ପିଟିପିଟି ମାରିଦିଆଯାଇଛି ।

ସେପଟେ ଉକ୍ତ ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ  । ହାଜତ ମୃତ୍ୟୁ ଅଭିଯୋଗ କରିଥିବା ମହିଳା କହିଥିଲେ ତାଙ୍କର ନାମ ହେଉଛି ଦେବେନ୍ଦ୍ର ଚୌଧୁରୀ । କିନ୍ତୁ ପୋଲିସ୍ କହୁଛି ମୃତ ବ୍ୟକ୍ତିଙ୍କର ନାମ ପ୍ରଦୀପ ସାହୁ । ଯାହାକୁ ନେଇ ଏହି ଘଟଣା ସୂତାଖିଅରେ ଛନ୍ଦି ହୋଇଛି । ଆଉ ଏପଟେ ଦୁଇ ମହିଳା ମଧ୍ୟ ତାଙ୍କୁ ନିଜ ସ୍ୱାମୀ ବୋଲି କହୁଛନ୍ତି ଯାହାକୁ ନେଇ ବିଷୟ ଚର୍ଚ୍ଚାର କାରଣ ପାଲଟିିଛି । ପ୍ରକୃତରେ ମୃତକଙ୍କ କେଉଁ ପରିଚୟ ଟି ସତ । ଯାହାକୁ ନେଇ ଏବେ ତଦନ୍ତ ଚାଲିଛି ।

ସୂଚନାଯୋଗ୍ୟ, ହାଜତ ମୃତ୍ୟୁ ନେଇ ଦେବେନ୍ଦ୍ରଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ , ଗତକାଲି ରାତିରେ ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ଆଉ ଥାନାରେ ତାଙ୍କୁ ପିଟିପିଟି ମାରିଦିଆଯାଇଛି ।

ସେପଟେ ସାଇକେଲ ଚୋରି ସନ୍ଦେହରେ ତାଙ୍କୁ ଉଠାଇନେଇଥିଲା ପୋଲିସ । ଥାନା ହାଜତରେ ସେ ତଳେ ପଡି ଗୁରୁତର ହେବା ପରେ ଦେବେନ୍ଦ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦେବେନ୍ଦ୍ରଙ୍କ ନାଁରେ ପୂର୍ବରୁ ଏକାଧିକ ଚୋରି ମାମଲା ଥିଲା । ଗତକାଲି ଚୋରି କରୁଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ତଳେ ପଡି ଯାଇଥିଲେ । ଥାନାକୁ ଆଣି ଜେରା ବେଳେ ତାଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବା ସେ କହିଥିଲେ । ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.