fbpx

ମୁମ୍ବାଇ ଇଣ୍ଡିଆନ୍ସକୁ ଜିତାଇଲେ ହାର୍ଦ୍ଦିକ ପାଣ୍ଡ୍ୟା; ୬ ୱିକେଟରେ ହାରିଲା ପଞ୍ଜାବ କିଙ୍ଗସ

ନୂଆଦିଲ୍ଳୀ:ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ୍ରାର ବ୍ୟାଟିଂ ଫଳରେ ପଞ୍ଜାବ କିଙ୍ଗସ ବିପକ୍ଷ ମୁକାବିଲାକୁ ୬ ୱିକେଟରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୦ ବଲ ୪୦ ରନର ଇନିଂସ ଫଳରେ ୧୩୬ ରନର ଲକ୍ଷ୍ୟକୁ ୧୯ ଓଭରରେ ହାସଲ କରି ନେଇଥିଲା ମୁମ୍ବାଇ । ଅନ୍ୟ ମାନଙ୍କ ମଧ୍ୟରେ ସୌରଭ ତିୱାରୀ ୪୫ ଏବଂ କ୍ୱିଣ୍ଟନ ଡିକକ୍‌ ୨୭ ରନ୍‌ କରିଥିଲେ । ରବି ବିଷ୍ଣୋଇ ଚମକ୍ରାର ବୋଲିଂ କରି ୨୫ ରନରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗସ ଆଡେନ ମାର୍କରାମଙ୍କ ୪୨ ଏବଂ ଦୀପକ ହୁଡାଙ୍କ ୨୮ ରନ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା । ତେବେ ଟପ ଅର୍ଡରରେ ରାହୁଲ(୨୧), ମନଦୀପ(୧୫) ଏବଂ ଗେଲ(୧) ବିଶେଷ ପ୍ରଭାବିତ କରିବାରେ ବିଫଳ ହୋଇଥିଲେ । ମାତ୍ର ଦୁଇଟି ବଲ ବ୍ୟବଧାନରେ ଗେଲ ଏବଂ ରାହୁଲଙ୍କୁ ଆଉଟ କରି ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ପୋଲାର୍ଡ ।
୪୮ ରନରେ ୪ ୱିକେଟ ହରାଇ ଦଳ ସଂଘର୍ଷ କରୁଥିବା ବେଳେ ମାର୍କରାମ କିନ୍ତୁ ଚମକ୍ରାର ବ୍ୟାଟିଂ କରିଥିଲେ । ଦୀପକ ହୁଡାଙ୍କୁ ସାଥୀକରି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ ମାର୍କରାମ । ମାର୍କରାମ ୨୯ ବଲ ଖେଳି ୬ ଚୌକା ସହିତ ୪୨ ରନ କରିଥିବା ବେଳେ ହୁଡା ୨୬ ବଲରୁ ୨୮ ରନ କରିଥିଲେ । ଶେଷ ଆଡକୁ ହରପ୍ରୀତ ବ୍ରାରଙ୍କ ୧୪ ରନ ବଳରେ ପଞ୍ଜାବ ୧୩୦ ରନ ପାର କରିଥିଲା । ମୁମ୍ବାଇ ପକ୍ଷରୁ କାଏରନ ପୋଲାର୍ଡ ଏବଂ ଜସପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କୃଣାଲ ପାଣ୍ଡ୍ୟା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.