fbpx

ଭାରତର ଧ୍ୱଜାବାହକ ହେବେ ହରବିନ୍ଦର-ପ୍ରୀତି: ପାରା ଅଲିମ୍ପିକ୍ସ ସମାପନ ସମାରୋହରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସ-୨୦୨୪ ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତ । ବର୍ତ୍ତମାନ ସୁଦ୍ଧା ଦେଶର ଷ୍ଟାର ଆଥଲେଟ୍ ମୋଟ ୨୬ଟି ପଦକ ହାସଲ କରିଛନ୍ତି । ତେବେ ଏହି ମେଗା ଇଭେଣ୍ଟର ସମାପନ ସମାରୋହ ପାଖେଇ ଆସୁଛି । ଏହି ସମାରୋହରେ ଭାରତର ଦୁଇ ଷ୍ଟାର ଅଥଲେଟଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କରାଯାଇଛି । ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ବିଜୟୀ ହରବିନ୍ଦର ସିଂହ ଏବଂ ୨ଟି ପଦକ ହାସଲ କରିଥିବା ପ୍ରଥମ ମହିଳା ଧାବିକା ପ୍ରୀତି ପାଲଙ୍କୁ ପାରା ଅଲିମ୍ପିକ୍ସ-୨୦୨୪ର ସମାପନ ସମାରୋହରେ ଭାରତର ଧ୍ୱଜାବାହକ ଭାବରେ ଚୟନ କରାଯାଇଛି ।

ଚଳିତବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ତୀରନ୍ଦାଜରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ହରବିନ୍ଦର ସିଂହ । ସେହିପରି ପାରା ଅଲିମ୍ପିକ୍ସରେ ୨ଟି ପଦକ ହାସଲ କରିବାରେ ପ୍ରଥମ ମହିଳା ସ୍ପ୍ରିଣ୍ଟର ପାଲଟିଛନ୍ତି ପ୍ରତି ପାଲ୍ । ଉଭୟ ଆଥଲେଟ୍ ଚଳିତବର୍ଷ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ଗୌରବ ଭେଟି ଦେଇଛନ୍ତି । ତେଣୁ ଉଭୟଙ୍କୁ ଏହି ଇଭେଣ୍ଟର ସମାପନ ସମାରୋହରେ ଭାରତର ଧ୍ୱଜାବାହକ ଭାବରେ ଚୟନ କରାଯାଇଛି । ମେଗା ଇଭେଣ୍ଟରେ ଉଭୟଙ୍କ ଦମଦାର ପ୍ରଦର୍ଶନ ପାଇଁ ସାରା ଭାରତ ଆଜି ଗର୍ବ କରୁଥିବା ବେଳେ ସେମାନଙ୍କୁ ଏକ ଗୌରବର ମୁହୂର୍ତ୍ତ ଭେଟି ଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି । ସମାପନ ସମାରୋହରେ ହରବିନ୍ଦର ଏବଂ ପ୍ରୀତି ଭାରତର ଜାତୀୟ ପତାକା ତ୍ରିରଙ୍ଗା ଧରିବେ ବୋଲି ସୂଚନା ମିଳିଛି ।

ଏ ନେଇ ହରବିନ୍ଦର କହିଛନ୍ତି ଯେ, ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ସତ ହେବା ଭଳି ମନେ ହେଉଛି । ଏହାପରେ ସମାପନ ସମାରୋହରେ ଭାରତ ପାଇଁ ଧ୍ୱଜାବାହକ ହେବା ସର୍ବଶ୍ରେଷ୍ଠ ସମ୍ମାନ ବୋଲି କହିଛନ୍ତି ହରବିନ୍ଦର । ସେପଟେ ଏହି ସୁଯୋଗ ବିଷୟରେ କାଂସ୍ୟ ବିଜୟିନୀ ମହିଳା ସ୍ପ୍ରିଣ୍ଟର ପ୍ରୀତି କହିଛନ୍ତି ଯେ, ଭାରତର ଧ୍ୱଜାବାହକ ହେବା ପ୍ରକୃତରେ ଗୌରବର ବିଷୟ । ଏହା ସମସ୍ତ ଆଥଲେଟଙ୍କୁ ଗୌରବାନ୍ୱିତ କରିଥାଏ । ଚଳିତ ପାରା ଅଲିମ୍ପିକ୍ସରେ ଭାରତର ଆଥଲେଟ୍ ମୋଟ ୬ଟି ସ୍ୱର୍ଣ୍ଣ ପଦକ ବିଜୟୀ ହେବା ସହ ୯ଟି ରୌପ୍ୟ ଏବଂ ୧୧ଟି କାଂସ୍ୟ ପଦକ ହାସଲ କରିଛନ୍ତି ।

Get real time updates directly on you device, subscribe now.