fbpx

ହରିୟାଣା ରାଜ୍ୟସଭା ଉପ ନିର୍ବାଚନ: କିରଣ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଦେଖାଦେଇଛି ରାଜନୈତିକ ଉଷ୍ମତା, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ୯୦ଟି ଆସନ ପାଇଁ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିମଧ୍ୟରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ବହୂ ତଥା ପୂର୍ବତନ ବିଧାୟକ କିରଣ ଚୌଧୁରୀ ଆଜି ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସେନୀ, ବିଜେପି ପ୍ରଦେଶ ଅଧ୍ୟକ୍ଷ ମୋହନଲାଲ ବଡୋଲିଙ୍କ ସମେତ ଅନ୍ୟ ବିଜେପି ବିଧାୟକ ଉପସ୍ଥିତ ଥିଲେ । ଆଜି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିବା ବେଳେ ଏପର୍ଯ୍ୟନ୍ତ କଂଗ୍ରେସ ତରଫରୁ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାଁନ୍ତି । ଏଭଳି ସ୍ଥିତିରେ କିରଣ ଚୌଧୁରୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବାର ଦୃଢ଼ ସମ୍ଭାବନା ରହିଛି ।

ବଡ଼ ବଡ଼ କଂଗ୍ରେସ ନେତାଙ୍କ ମଧ୍ୟରେ କିରଣ ଚୌଧୁରୀ ଅନ୍ୟତମ । ୬୯ ବର୍ଷୀୟ କିରଣ ଲୋକସଭା ନିର୍ବାଚନ ପରେ କଂଗ୍ରେସକୁ ଅଲବିଦା କହିଥିଲେ । ସେ ଭବାନୀ- ମହେନ୍ଦ୍ରଗଡ଼ ଲୋକସଭା ଆସନ ଅନ୍ତର୍ଗତ ତୋଷାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ । ଏଠାରେ ସେ କ୍ରମାଗତ ୪ ଥର ବିଧାୟକ ରହିସାରିଛନ୍ତି । କିରଣଙ୍କ ଶ୍ୱଶୁର ଚୌଧୁରୀ ବଂଶୀଲାଲ ୩ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ତାଙ୍କ ସୁପୁତ୍ରୀ ଶ୍ରୁତି ଚୌଧୁରୀ ବି ରାଜନୀତିରେ ସକ୍ରିୟ ଅଛନ୍ତି । କହିରଖୁଛୁ ଏକ ହେଲିକପ୍ଟର ଦୁର୍ଘଟଣାରେ ବଂଶୀଲାଲଙ୍କ ପୁଅ ତଥା କିରଣଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ଏହା ପରେ କିରଣ ସ୍ୱାମୀ ଓ ଶ୍ୱଶୁରଙ୍କ ରାଜନୈତିକ ରାଜୁତିକୁ ଆଗକୁ ବଢ଼ାଇଲେ । ୨୦୦୫ରେ ସେ ପ୍ରଥମ ଥର ପାଇଁ ତୋଷାମ ଆସନରୁ ନିର୍ବାଚନ ଲଢ଼ି ବିଧାନସଭା ପହଂଚିଥିଲେ । ଏହା ପରେ ୨୦୦୯, ୨୦୧୪ ଏବଂ ୨୦୧୯ରେ ମଧ୍ୟ ତୋଷାମ ଜନତା ତାଙ୍କୁ ବିଧାନସଭା ପଠାଇଥିଲେ ।

କିରଣ ଚୌଧୁରୀଙ୍କ ସ୍ୱାମୀ ସୁରେନ୍ଦ୍ର ସିଂହ ନିଜ ପିତା ଚୌଧୁରୀ ବଂଶୀଲାଲଙ୍କ ରାଜନୈତିକ ରାଜୁତିକୁ ସମ୍ଭାଳିଥିଲେ । ୧୯୯୬ ଏବଂ ୧୯୯୮ରେ ସେ ଭବାନୀରୁ ଲୋକସଭା ନିର୍ବାଚନ ଜିତିଥିଲେ । ଏହା ପୂର୍ବରୁ ୧୯୮୬-୧୯୯୨ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୫ରେ ତାଙ୍କର ଦେହାନ୍ତ ହୋଇଥିଲା ।

Get real time updates directly on you device, subscribe now.