fbpx
BJD SKY
BJD SKY

ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣାର ଦୂର ହେଲା ସସପେନ୍ସ , ଯୁବ କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ପୋଲିସ

BJD

ଭଞ୍ଜନଗର (ଓଡ଼ିଶା ଭାସ୍କର): ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳୟର ଆକଳନ ସେକସନ୍‌ରେ କନିଷ୍ଠ ଯନ୍ତ୍ରୀଭାବେ କାର୍ଯ୍ୟରତ ଜଣେ ଅବିବାହିତା କନିଷ୍ଠ ଯନ୍ତ୍ରୀ ଜେ. ଅନୀତାଙ୍କ ଆତ୍ମହତ୍ୟା ପଛର କାରଣ ଶେଷରେ ଖୋଜି ପାଇଛି ପୁଲିସ । ଏହି ଘଟଣାରେ ସଂପୃକ୍ତ ବି ଭାଗର ଜଣେ ଯୁବ କନିଷ୍ଠ ଯନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ମୃତ ମହିଳାଙ୍କ ପରିବାର ପକ୍ଷରୁ ଅଣାଯିବାପରେ ପୁଲିସ ଏହାକୁ ଗୁରୁତର ସହ ନେଇ ସଂପୃକ୍ତ ଯୁବ କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିବା ସହ ଶନିବାର କୋର୍ଟଚାଲଣ କରିଛି । ଫଳରେ ଗତମାସ ୨୧ ତାରିଖରୁ ଲାଗିରହିଥିବା ଏହି ଘଟଣା ଉପରର ସସପେନ୍ସ ଦୂର ହୋଇପାରିଛି ।

ପୁଲିସର ସୂଚନା ପ୍ରକାରେ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ଜେ ଅନୀତା ଯିଏକି ଅବିବାହିତ ଥିଲେ ସେ ଏହି ବିଭାଗର ଆକଳନ ସେକସନ୍‌ରେ କାର୍ଯ୍ୟ କରୁଥିଲେ । ଆଉ ଏହି ସେକସନ୍‌ରେ କାର୍ଯ୍ୟରତ ଆଉ ଜଣେ ଯୁବ କନିଷ୍ଠ ଯନ୍ତ୍ରୀ ସଦାଶିବ ମାଧେଇ  ଗ୍ରାମ – ତଳଶୋକକୁଳ ଥାନା- ରାଜ ବ୍ରହ୍ମୁର ଜିଲ୍ଲା ବାଲେଶ୍ୱରଙ୍କ ସହ ସଂପୃକ୍ତ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । କନିଷ୍ଠ ଯନ୍ତ୍ରୀ ସଦାଶିବ ବିବାହିତ ଥିବାବେଳେ ଅନୀତା ଅବିବାହିତ ଥିଲେ । ଆଉ ଗୋଟିଏ ସେକସନ୍‌ରେ କାର୍ଯ୍ୟ କରୁଥିବାରୁ ପରସ୍ପର ପରସ୍ପରକୁ ଭଲଭାବେ ଜାଣିଥିଲେ । ତେବେ ଉଭୟଙ୍କ ମଧ୍ୟରେ ଶେଷ ମୁହୂର୍ତ୍ତରେ କଣ ସବୁ କଥାବାର୍ତ୍ତା ହୋଇଥିଲା ତାହାର ଭିଡିଓ କ୍ଲିପ୍ ରେକର୍ଡ କରିବା ସହ ଅନୀତା ଆତ୍ମହତ୍ୟା ପଛରେ ସଦାଶିବଙ୍କ ହାତ ରହିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ପୁଲିସ ଅପମୃତ୍ୟୁ ମାମଲାକୁ ବଦଳାଇ ଥାନା କେଶ ନମ୍ବର- ୨୬୭/୨୧ର ଦଫା ୩୭୬ ଓ୩୦୬ ଆଇପିସି ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ସଦାଶିବ ମାଧେଇଙ୍କୁ ଗିରଫ କରି କୋର୍ଟଚାଲଣ କରିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତମାସ ୨୧ ତାରିଖ ରାତିରେ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳୟରେ ଏଷ୍ଟିମେଟର ସେକସନ୍‌ ଜେଇ ଭାବେ କାର୍ଯ୍ୟ କରୁଥିବା ଦିଗପହଣ୍ଡି ଅଂଚଳର ଜେ. ସୁବାରାଓଙ୍କ ଝିଅ ଜେ. ଅନୀତା(୩୪) ଭଞ୍ଜନଗର ଲଣ୍ଡେଇସାହିସ୍ଥିତ ୟୁନିଟ୍‌- ୩ ସ୍ଥିତ ନିଜ ଭଡାଘରେ ନିଜର ଏକ ଶାଢୀ ସହାୟତାରେ ଆତ୍ମହତ୍ୟା କରିଥିଲେ । ୨୪ ତାରିଖ ସକାଳୁ ସେ ରହୁଥିବା ଘରୁ ଦୁର୍ଗନ୍ଧ ବାହାରିବାରୁ ସାହିବାସିନ୍ଦା ସନ୍ଦେହରେ ଘଟଣା ସଂପର୍କରେ ପୁଲିସରେ ସୂଚନା ଦେଇଥିଲେ । ଆଉ ସୂଚନା ପାଇବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାହିବାସିନ୍ଦାଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗିବାସହ ଭିତରେ ଝୁଲନ୍ତା ଅବସ୍ଥାରେ ଜେ.ଅନୀତାଙ୍କ ଗଳିତ ମୃତ ଦେହ ରହିଥିବା ଦେଖିବାକୁ ପାଇଥିଲା । ସେତେବେଳେ ଏହି ଘଟଣାକୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିବାବେଳେ ପରିବାର ଲୋକ ନିଦ୍ଧିଷ୍ଟ ଅଭିଯୋଗ ଆଣିବାପରେ ଏବେ ଏହି ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଗିରଫ ହୋଇ କୋର୍ଟଚାଲଣ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଳଟିଛି ।

Get real time updates directly on you device, subscribe now.